ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ମହାନ୍ ଗଣିତିକ ଶ୍ରୀନିବାସ ରାମାନୁଜନ ଜନ୍ମଜୟନ୍ତୀ ତଥା ଜାତୀୟ ଗଣିତ ଦିବସ ବିଭାଗୀୟ ମୁଖ୍ୟ ଶିବରାମ ସିଂହ ସଭାପତିତ୍ବରେ ପାଳିତ ହୋଇଅଛି। ଏହି ସମାରୋହରେ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୀନା ରାଉତ, ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ବିଦ୍ୟାଧର ଜୁଝାରସିଂହ ପ୍ରମୁଖ ଯୋଗଦେଇ ଗାଣିତିକ ବିଶ୍ଳେଷଣ, ସଂଖ୍ୟା ସିଦ୍ଧାନ୍ତ, ଅସୀମ କ୍ରମ ଏବଂ ଭଗ୍ନାଂଶ ବିଷୟରେ ଶ୍ରୀନିବାସ ରାମାନୁଜନ ଅନବଦ୍ୟ ଅବଦାନ ରହିଥିଲା ବୋଲି ମତପ୍ରକାଶ କରିବା ସହ ଜାତୀୟ ଗଣିତ ଦିବସର ପାଳନ ଓ ମହତ୍ତ୍ବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗଣିତ ବିଭାଗର ଅଧ୍ୟାପକ ମନୋଜ କୁମାର ନାୟକ, ନବୀନ ବାରିକଙ୍କ ସମେତ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ।
ତତସହିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ବିଦ୍ୟାଧର ଜୁଝାରସିଂହଙ୍କ ଅଧ୍ୟକ୍ଷତାରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା। ଏହି ସେମିନାରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଯୋଗଦେଇ ସେମିନାର ଉଦ୍ଦେଶ୍ୟ ଓ ମହତ୍ତ୍ବର ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ବିଶଦ ଆଲୋଚନା କରିଛନ୍ତି। ବିଭାଗୀୟ ମୁଖ୍ୟ ବିଦ୍ୟାଧର ଜୁଝାରସିଂହଙ୍କ ତତ୍ତ୍ବାବଧାନରେ ତୃତୀୟ ବର୍ଷ ଛାତ୍ରୀ ସନ୍ଧ୍ୟାରାଣୀ ଶାସମଲ “ମହୁମାଛିର ସାମାଜିକ ବ୍ୟବହାର” ସମ୍ପର୍କରେ ଉପସ୍ଥାପନା କରିଥିବା ସହ ପ୍ରାଣୀବିଜ୍ଞାନର ଅଧ୍ୟାପିକା ସୁଚ଼ିସ୍ମିତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ତୃତୀୟ ବର୍ଷ ଛାତ୍ରୀ ସାଲୋନି ପାତ୍ର “ଇମିନ୍ୟୁଗ୍ଲୋବିନ” ସମ୍ପର୍କରେ ଉପସ୍ଥାପନା ପ୍ରଦାନ କରିଛନ୍ତି।
ଏହି ଅବସରରେ ପ୍ରାଣୀ ବିଜ୍ଞାନ ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପିକା ପ୍ରଗଲ୍ଭା ପ୍ରିୟଦର୍ଶିନୀଙ୍କୁ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡ଼େମୋନଷ୍ଟ୍ରେଟର ବିଷ୍ଣୁପ୍ରିୟା ସ୍ବାଇଁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


