ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଆୟୋଜିତ “ବନ୍ଦେ ମାତରମ” ସଙ୍ଗୀତ ଗାନ ପ୍ରତିଯୋଗିତା ଗତ ସୋମବାର ଦିନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଜ୍ଞାପିତ ପରିଷଦ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାକୁ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଅନୁଯାୟୀ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ—ଏମିତି ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା।
ଉପକନିଷ୍ଠ ବିଭାଗରେ ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର ସନ୍ଦୀପ ପ୍ରଧାନ ନିଜର ସୁମଧୁର କଣ୍ଠ ଓ ଆତ୍ମବିଶ୍ୱାସପୂର୍ଣ୍ଣ ପ୍ରଦର୍ଶନ ମାଧ୍ୟମରେ ପ୍ରଥମ ସ୍ଥାନ ହାସଲ କରି ବିଜୟୀ ହୋଇଥିଲେ। ସନ୍ଦୀପଙ୍କ ଏହି ସଫଳତା ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ସହିତ ନରସିଂହପୁର କ୍ଲଷ୍ଟର ପାଇଁ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି କନିଷ୍ଠ ବିଭାଗରେ ଶୁଶ୍ରୀ ଶୁଭସ୍ମିତା ପ୍ରଥମ ସ୍ଥାନ ଓ ବରିଷ୍ଠ ବିଭାଗରେ ସାଇ ସରନ୍ୟା ପଣ୍ଡା ପ୍ରଥମ ସ୍ଥାନ ହାସଲ କରି ନିଜ ନିଜ ବିଦ୍ୟାଳୟର ସମ୍ମାନ ବଢ଼ାଇଛନ୍ତି।
ମଙ୍ଗଳବାର ଦିନ ମଣିନାଗ ସ୍ଥିତ କଲ୍ୟାଣ ମଣ୍ଡପରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସାଂସଦ ପ୍ରତିନିଧି ଭାବେ ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜ, ବାଚସ୍ପତି ପ୍ରତିନିଧି ଭାବେ ସମାଜସେବୀ ପରେଶ ମିଶ୍ର, ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଶିକ୍ଷାବିତ ଲକ୍ଷ୍ମୀପ୍ରତିମା ଶତପଥୀ, ବିଦେଶିନୀ ପତି ଓ ଭାରତୀ ସିଂ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସଭା ଶେଷରେ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।


