ବାଣପୁର: ଗଣତନ୍ତ୍ର ଦିବସ ଅବସରରେ ଆଜି ଜାତୀୟ ଆଇନ ସେବା ପ୍ରାଧିକରଣର ‘ଆଶା’ ଯୋଜନା ଅନୁଯାୟୀ ରାଜ୍ୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ର ଚିନ୍ତାପୂର୍ବକ ଏକ ବିଶାଳ ସାଇକେଲ ସଚେତନତା ରାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାଇକେଲ ସଚେତନତା ରାଲିର ଉଦ୍ଦେଶ୍ୟ ଥିଲା ‘ବାଲ୍ୟ ବିବାହ ମୁକ୍ତ ଭାରତ’।
ଉକ୍ତ ସଚେତନତା ରାଲିଟି ବାଣପୁର କୋର୍ଟ ପରିସରରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ପରିକ୍ରମା କରି ପୁନଶ୍ଚ କୋର୍ଟ ପରିସରରେ ସମାପ୍ତ ହୋଇଥିଲା। ଉକ୍ତ ସାଇକେଲ ସଚେତନତା ରାଲିରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ସମେତ ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା, ସମସ୍ତ ଆଇନଜୀବୀ, ପାରା ଲିଗାଲ ସ୍ଵେଚ୍ଛାସେବୀ, କୋର୍ଟ କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ସାମ୍ବାଦିକ ଆଦି ସାମିଲ ହୋଇ ବାଲ୍ୟ ବିବାହ ନିଷେଧ ଅଧିନିୟମ, କନ୍ୟା ଭୃଣ ହତ୍ୟା ଏବଂ ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ ବିଷୟରେ ନାଗରିକଙ୍କୁ ସଚେତନ କରାଇଥିଲେ।
ଉକ୍ତ ସାଇକେଲ ସଚେତନତା ରାଲିକୁ ବାଣପୁର ଅଞ୍ଚଳର ନାଗରିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।


