ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।
ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେଇଛନ୍ତି କଥା ବାଚକ ଡଃ ଆଶୁତୋଷ ମିଶ୍ର। ଅନୁରୂପ ଭାବେ ମହାଶିବରାତ୍ରି (ରବିବାର) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଅଛି।
ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ଶ୍ରୀ ରାମ ମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ। ସେହିପରି ଭାବେ ମହାଶିବରାତ୍ରି ପରବର୍ତ୍ତୀ ଦିନ ଅର୍ଥାତ ସୋମବାର ଦିନ ସକାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡିଛି।
ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୨୦ ବର୍ଷ ହେଲା ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ କରିଆସୁଅଛି। ଅନୁରୂପ ଭାବେ କମିଟିର ଅନୁରୋଧ କ୍ରମେ ଉକ୍ତ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହଯୋଗରେ ସଂପୂର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କରିବେ ବୋଲି କମିଟି ସୂତ୍ରରୁ ପ୍ରକାଶ।


