ବାଣପୁର: ମହାଶିବରାତ୍ରି ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ନୂତନ ପ୍ରବଚନ ମଣ୍ଡପକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କୁ କମିଟିର ସଦସ୍ୟ ମାନେ ଭବ୍ୟ ସ୍ୱାଗତ କରିଥିଲେ। ମନ୍ତ୍ରୀଙ୍କ ନିଜସ୍ୱ ଅନୁଦାନରୁ ନିର୍ମିତ ହୋଇଥିବା ଉକ୍ତ ପ୍ରବଚନ ମଣ୍ଡପ ମନ୍ଦିର ଉନ୍ନତିରେ ବିଶେଷ ସହାୟକ ହେବ। ଭକ୍ତମାନଙ୍କ ସୁବିଧା ନିମନ୍ତେ ନିର୍ମିତ ଉକ୍ତ ମଣ୍ଡପ ଦ୍ୱାରା ଅଞ୍ଚଳବାସୀ ମଧ୍ୟ ବିଶେଷ ଉପକୃତ ହେବେ। ମାନ୍ୟବର ମନ୍ତ୍ରୀଙ୍କ ଉକ୍ତ ମହତ ଅବଦାନ ପାଇଁ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ପ୍ରଭୁଙ୍କ ଅସୀମ କୃପାରେ ଏହି ନୂତନ ପ୍ରବଚନ ମଣ୍ଡପ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଏକ ନୂତନ ପ୍ରେରଣା କେନ୍ଦ୍ର ଭାବେ ପରିଣତ ହେଉ ବୋଲି ମନ୍ତ୍ରୀ କାମନା କରିଥିଲେ। ତତସହିତ ଖୁବ କମ ସମୟ ମଧ୍ୟରେ ଏପରି ବିଶାଳ ମଣ୍ଡପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ କମିଟିର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ। ଉକ୍ତ ଉଦଘାଟନ ଉତ୍ସବରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ସମାଜସେବୀ ନନ୍ଦ କିଶୋର ମିଶ୍ର ଓ ଜିତେନ୍ଦ୍ର ଭୋଳଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ଶତାଧିକ ଭକ୍ତ ଉପସ୍ଥିତ ଥିଲେ।


