ରଣପୁର: ଚଳିତ ବର୍ଷ ଏକ ନୂଆ ପରମ୍ପରାର ଶୁଭାରମ୍ଭ କରି ରଣପୁର ପ୍ରେସ କ୍ଲବ ପକ୍ଷରୁ ପ୍ରଥମ ଥର ପାଇଁ ନିଜସ୍ୱ ପ୍ରେସ କ୍ଲବ କାର୍ଯ୍ୟାଳୟ ସମ୍ମୁଖରେ ୮୦ତମ ପବିତ୍ର ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ଶହୀଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂହ, କାର୍ଯ୍ୟକାରୀ ସଭାପତି ବିଶ୍ୱରଂଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ, ଉପଦେଷ୍ଟା ରମେଶ ଚନ୍ଦ୍ର ପ୍ରଧାନ ଓ ରଘୁନାଥ ନାୟକଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ସ୍ୱାଧୀନତା ଦିବସ ଭଳି ଜାତୀୟ ମହତ୍ତ୍ୱପୂର୍ଣ୍ଣ ଦିବସକୁ ନିଜ କାର୍ଯ୍ୟାଳୟ ସମ୍ମୁଖରେ ପାଳନ କରି ରଣପୁର ପ୍ରେସ କ୍ଲବ ଏକ ନୂଆ ପରମ୍ପରାର ଆରମ୍ଭ କରିଛି। ଏହା ସାମ୍ବାଦିକ ସମାଜ ମଧ୍ୟରେ ଦେଶପ୍ରେମ, ଏକତା ଓ ଦାୟିତ୍ୱବୋଧର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ଉପସ୍ଥିତ ଅତିଥି ଓ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।


