ଭୁବନେଶ୍ବର: ଖୋର୍ଦ୍ଧା ସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ୍ଠାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୦ତମ ବାର୍ଷିକ ସାଧାରଣ ସଭା ଆଜି ପୂର୍ବାହ୍ନ ୧୧ଟାରେ ଅଭିଷେକ ସିଂହ ସାମନ୍ତଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସଭା କାର୍ଯ୍ୟ ଆରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯିବା ସହ ବ୍ୟାଙ୍କର ପ୍ରତିଷ୍ଠାତା ସ୍ୱର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ତ୍ତୀ ଏବଂ ଓଡ଼ିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।
ଏହି ସଭାରେ ଖୋର୍ଦ୍ଧା ସହକାରୀ ନିବନ୍ଧକ ସମବାୟ ସମିତି ସମୂହର ଭାଗମତ ମାରାଣ୍ଡି ଯୋଗଦେଇ ସମସ୍ତ ସମିତି କର୍ମଚାରୀଙ୍କ ସହଯୋଗରେ ସମବାୟକୁ ଆଗକୁ ନେବା ସହ ଓଡ଼ିଶା ସରକାରଙ୍କ “ସମ୍ବନ୍ଧ” କାର୍ଯ୍ୟକ୍ରମ ଦ୍ୱାରା ସମିତି ସ୍ତରରେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ବ୍ୟାଙ୍କ ସଭାପତି ଶ୍ରୀ ସିଂହ ସାମନ୍ତ ବ୍ୟାଙ୍କରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଚିଠା ଉପସ୍ଥାପନ କରିବା ସହ ବିଗତ ୫ ବର୍ଷରେ ବ୍ୟାଙ୍କ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧିର ତୁଳନାତ୍ମକ ବିବରଣୀ ପ୍ରଦାନ କରିଥିଲେ ଏବଂ ବାକି ରହିଯାଇଥିବା କାର୍ଯ୍ୟଗୁଡ଼ିକୁ ଅତି ଶୀଘ୍ର ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାରଥୀ ଶତପଥୀ ୨୦୨୫-୨୬ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବ୍ୟାଙ୍କର ସହକାରୀ ସାଧାରଣ ପରିଚାଳକ (ଏଜିଏମ୍) ସନ୍ଦୀପ ପଟ୍ଟନାୟକ ବ୍ୟାଙ୍କର ଅଗ୍ରଗତି ପାଇଁ ସମସ୍ତଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏହି ସଭାରେ ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତିର ସଭାପତି, ପ୍ରତିନିଧି, ସମ୍ପାଦକ ଏବଂ ନିର୍ଦ୍ଦେଶକ ସୁଧାଂଶୁ ଶେଖର ବଡ଼ଜେନା, ପ୍ରକାଶ ରାଉତରାୟ, ବିପିନ ବିହାରୀ ପାତ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ। ଜ୍ୟୋତିରଞ୍ଜନ ରାଉତରାୟ ସଭା ପରିଚାଳନା କରିଥିଲେ। ଶେଷରେ ବ୍ୟାଙ୍କର ଉପସଭାପତି ଜୟଶ୍ରୀ ଗଡ଼ନାୟକ ଉପସ୍ଥିତ ସମସ୍ତ ଅଂଶୀଦାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


