ସରକାର କେ ମାଲ୍‌ ଦରିଆ ମେ ଡାଲ୍‌: ପାଚେରୀକୁ ଭାଙ୍ଗି ପୁନଃନିର୍ମାଣକୁ ନେଇ ବିବାଦ

Published: Nov 29, 2019, 10:31 am IST

କଳାହାଣ୍ଡି : ୨୯/୧୧: (ସମୀକ୍ଷା ବ୍ୟୁରୋ) : ସରକାରୀ ଟଙ୍କାର ଅପଚୟ କରାଯାଉଥିବାର ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗତ ୬ ମାସରୁ ଉର୍ଦ୍ଧ୍ବ ହେବ ଏକ ପାଚେରୀ ନିର୍ମାଣ ହୋଇଥିଲା। ତେବେ ସେହି ପାଚେରୀକୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରିବା ପାଇଁ ପଞ୍ଚାୟତ ଅଧିକାରୀ ଯୋଜନା କରୁଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏହି ପାଚେରୀ ନିର୍ମାଣ କାର୍ଯ୍ୟଟିର ଓ୍ବାର୍କ ଅର୍ଡର ବୋରପଦର ପଞ୍ଚାୟତ ଅଧିକାରୀଙ୍କ ନାମରେ ରହିଥିବାବେଳେ ଏହି ପାଚେରୀ ନିର୍ମାଣର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧ ଲକ୍ଷଟଙ୍କା। ତେବେ ବିଦ୍ୟାଳୟର ପାଚେରୀଟି ପୁରୁଣା କିମ୍ବା ଭଗ୍ନ ନ ହୋଇଥିବାସ୍ଥଳେ ନୂତନ ପାଚେରୀ ନିର୍ମାଣ କ’ଣ ପାଇଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପଚାରିବାରୁ ପ୍ରଧାନ ଶିକ୍ଷକ ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଯାଇଛି ବୋଲି କହିଛନ୍ତି। ତେବେ ପାଚେରୀ ଭାଙ୍ଗି ନୂତନ ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକଟ କରିବା ସହିତ ଏଥିପ୍ରତି ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ପାଚେରୀ ନିର୍ମାଣକୁ ନେଇ ସରକାରଙ୍କ ଅର୍ଥ ହେରଫେର ହେଉଥିବାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏହି ପାଚେରୀକୁ ନେଇ ସ୍ଥାନୀୟ ବାସିନ୍ଦା ସମେତ ବୁଦ୍ଧିଜୀବୀମାନେ କେତୋଟି ପ୍ରଶ୍ନର ଉତ୍ଥାପନ କରିଛନ୍ତି। ସେମାନଙ୍କ ମତରେ –

ଛଅ ମାସ ତଳେ ନିର୍ମାଣ ହୋଇଥିବା ପାଚେରୀଟି ଏତେ ପୁରୁଣା ହୋଇନାହିଁ ଯେ, ତାଙ୍କୁ ଭଙ୍ଗା ଯାଇ ନୂତନ ପାଚେରୀ ନିର୍ମାଣ କରାଯାଉଛି?

ଯଦି ପାଚେରୀ ନିର୍ମାଣ କରାଯିବାର ଥିଲା, ତେବେ ନୂତନ ସ୍ଥାନରେ ନିର୍ମାଣ କରା ନ ଯାଇ ପାଚେରୀକୁ ଭାଙ୍ଗି ଏହା କ’ଣ ପାଇଁ କରାଯାଉଛି?

ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଓ ନିର୍ମାଣ ହେଉଛି ବୋଲି ପ୍ରଧାନଶିକ୍ଷକ ମିଛ କ’ଣ ପାଇଁ କହୁଛନ୍ତି?

ଏହି ନୂତନ ପାଚେରୀ ନିର୍ମାଣ ନେଇ କ’ଣ ପ୍ରଧାନଶିକ୍ଷକ ଓ ପିଇଓ ସଲାସତୁରା ହୋଇଛନ୍ତି କି?

‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’ ପରି ସରକାରୀ ଟଙ୍କାର ବ୍ୟାପକ ହେରଫେର ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହିତ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।

ରିପୋର୍ଟ : ବବୁଲ୍‌ ସାହୁ, ମୋ : ୯୫୫୬୮୦୩୩୧୪

Related posts