ବାଣପୁରରେ ବିଶ୍ବ ଏଡ୍‌ସ ଦିବସ ଅବସରରେ ସଚେତନତା ଶିବିର,ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା

Published: Dec 2, 2019, 7:18 pm IST

ସମୀକ୍ଷା ବ୍ୟୁରୋ

ବାଣପୁର,୨/୧୨:  ବାଣପୁରରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଦିନ ବିଶ୍ବ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। କେଏନ୍‌ପି ସଂଯୋଜନାରେ ଏକ ସଚେତନତା ଶିବିର, ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ରଶ୍ମିତା ମହାନ୍ତି, ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ଏବଂ ସୁବ୍ରତ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଭବାନୀ ଶଙ୍କର ବଳିୟାରସିଂହ, ପ୍ରକାଶ ସେଠୀ, କେଏନ୍‌ପିର ମୁଖ୍ୟ ପରିଚାଳକ ଅମୀୟ କୁମାର ଘଡେଇ, ବାଣପୁର ମେଡିକାଲ ଆଇସିଟିସି କାଉନସିଲର୍‌ ଅଶୋକ କୁମାର ବେହେରା, ପ୍ରଦୀପ୍ତ ହୋତା ଏବଂ ଶିବ ଶଙ୍କର ଢାଲି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏମାନଙ୍କ ବ୍ୟତୀତ କଲେଜ୍‌ର ସମସ୍ତ ଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ପୋଲିସ୍‌ ବିଭାଗ ସହଯୋଗ କରିଥିଲେ।

ମହାବିଦ୍ୟାଳୟ ପରିସରରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ପଲଟଣ ପଡିଆ ଦେଇ ବ୍ଲକ୍‌, ତହସିଲ ଏବଂ ଡାକ୍ତରଖାନା ପରିକ୍ରମା କରି ମହାବିଦ୍ୟାଳୟରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ଏଡ୍‌ସ ସଚେତନତା ସ୍ଲୋଗାନ ସହିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ଏହାପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସମସ୍ତ ସମ୍ମାନିତ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନିଜ ବକ୍ତୃତାରେ ଏଡ୍‌ସ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts