ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରାଲି ଓ ସ୍ମାରକପତ୍ର ପ୍ରଦାନ

Published: Dec 4, 2019, 11:25 am IST

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୪/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଞ୍ଜାମର ହିଞ୍ଜିଳିକାଟୁରେ ଏକ ରାଲି ଅନୁଷ୍ଠିତ ହେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ତ୍ରିରଙ୍ଗା ସେବା ସଙ୍ଘ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ବାହାରିଥିଲା। ଶତାଧିକ ସ୍ବେଚ୍ଛାସେବୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ପରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ, ଧାରା ୩୭୬ ରେ ସଂଶୋଧନ, ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, ପୀଡିତ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା, ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର, ପର୍ଣ୍ଣୋଗ୍ରାଫି, ପର୍ଣ୍ଣୋଗ୍ରାଫି ଚଳଚିତ୍ର, ଓ୍ବେବ୍‌ସାଇଟ୍‌ ଉପରେ ରୋକ୍‌ ଏବଂ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତ୍ରିରଙ୍ଗ ସେବା ସଙ୍ଘ ସଭାପତି ରଞ୍ଜନ ସାହୁ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାନେତ୍ରୀ ଟି ଅର୍ଚ୍ଚନା ପାତ୍ରଙ୍କ ନେତୃତ୍ବରେ ମୀନାକ୍ଷୀ ପାତ୍ର, ରାଜେଶ୍ବରୀ ପାତ୍ର, ପ୍ରଭାତ ମହାରଣା, କିରଣ ପୃଷ୍ଟି, ବିଘ୍ନରାଜ ମହରଣା, ଲୀନା ପାତ୍ର, ସସ୍ମିତା ପାତ୍ର ଏବଂ ଶିବ ପ୍ରସାଦ ପାଠୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Related posts