ବାଲୁଗାଁ ବାଇପାସ୍‌ର ସୁବୁଦ୍ଧିପାଟଣା ଛକରେ ଓଲଟିଲା ଔଷଧ ବୋଝେଇ ଟ୍ରକ୍‌

Published: Dec 14, 2019, 11:21 am IST

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୪/୧୨ : ବାଲୁଗାଁ ବାଇପାସ୍‌ ରୋଡ୍‌ର ସୁବୁଦ୍ଧିପାଟଣା ଛକ ନିକଟରେ ଆଜି ସକାଳୁ ଘଟିଯାଇଛି ପୁଣି ଏକ ଦୁର୍ଘଟଣା। ପଶୁପକ୍ଷୀଙ୍କ ଔଷଧ ବୋଝେଇ ଏକ ଟ୍ରକ ଓଲଟି ପଡିବା ସହିତ ଦୁଇ ଜଣ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଟକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଔଷଧ ବୋଝେଇ ଟ୍ରକ (ଓଏସଜି-୦୨୪୯) ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି। ଦୁଇ ଆହତ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସିନ୍ଦା ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଆହତ ଦୁଇ ଜଣକ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ଉକ୍ତ ସ୍ଥାନରେ ବିଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା। ଗତମାସରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ

Related posts