ପୁଣି ଏକ ଦାଦନର କରୁଣ ଦୃଶ୍ୟ : ସୁରତରୁ ଫେରିଲା ଯୁବକର ମୃତଦେହ

Published: Dec 15, 2019, 4:45 pm IST

କଳାହାଣ୍ଡି/ ସମୀକ୍ଷା ବ୍ୟୁରୋ:

ଓଡ଼ିଶାରେ ଦାଦନର କରୁଣ ଦୃଶ୍ୟ କିଛି ନୂଆ ନୁହେଁ।  ଇଟାମାଟି,ଘର ଦ୍ୱାର ଛାଡ଼ି ରୋଜଗାର ଆଶାରେ ଆଜି ବି ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବା ବେଳେ କେବେ ଅଘଟଣରେ ତ ଆଉକେବେ ରୋଗରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି ଅନେକେ। ଶେଷ ସମୟରେ ପ୍ରିୟପରିଜନଙ୍କୁ ବି ପାଇପାରୁନାହାନ୍ତି ପାଖରେ। ରୋଜଗାର ଅଭାବରୁ ଦାଦନମୁହାଁ ହେଉଛନ୍ତି ଅଞ୍ଚଳବାସୀ। ସରକାରୀ ପ୍ରୋତ୍ସାହନ ଅଭାବ ତଥା ରୋଜଗାର ଦେବାର ସରକାର ବିଫଳ ହେବାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣି ଜଣେ ଦାଦନ ଶବ ହୋଇ ଫେରିଛି ନିଜ ଗ୍ରାମକୁ। କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍‌ର ମିଥୁନ ନାମକ ଜଣେ ଯୁବକ ଗୁଜୁରାଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍‌ ଦାଦନ ପ୍ରବଣ ବ୍ଲକ୍‌ ଭାବରେ ବେଶ୍‌ ଜଣାଶୁଣା ଏହି ବ୍ଲକ୍‌ର ତଳସାଗରପଡ଼ାର ଯୁବକ ମିଥୁନ ଘିଭେଲା(୨୪) ଗତ କିଛି ମାସତଳେ ସୁରତରେ ରହି ଏକ ଘର ତିଆରି ଠିକାଦାର ପାଖରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ସେ ଗତ ରବିବାର ଦିନ ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ମାଲିକ ତାଙ୍କୁ ପ୍ରଥମେ ପାଖ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ସେଠାରୁ ଅବସ୍ଥା ସଂକଟାପନ୍ନ ହେବାରୁ ସୁରତସ୍ଥିତ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ମୃତ୍ୟୁ ହୋଇଥିଲା ଏବଂ ବୁଧବାର ଦିନ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କର ମୃତ ଦେହକୁ ଅଣାଯାଇଥିଲା।  ଆଜି ସକାଳ ୭ଘଂଟା ସମୟରେ ଯୁବକଙ୍କ ଶବ ଘରେ ପହଞ୍ଚିବା ପରେ  ତାଙ୍କ ଘରେ ଏବଂ ଗାଁରେ ଶୋକରଛାୟା ଖେଳିଯାଇଛି।
କଳାହାଣ୍ଡିରୁ ବବୁଲୁ ସାହୁଙ୍କ ରିପୋର୍ଟ

Related posts