ଚିଲିକା ଜେଟିରେ ବିଦ୍ୟୁତ ଆଘାତରେ ବାଳକର ମୃତ୍ୟୁକୁ ନେଇ ଉତ୍ତେଜନା

Published: Dec 15, 2019, 5:22 pm IST

ସମୀକ୍ଷା ବ୍ୟୁରୋ
ଚିଲିକା,୧୫/୧୨ : ଚିଲିକାରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଆଘାତରେ ଜଣେ ବାଳକର ମୃତ୍ୟୁ ହୋଇଛି। ବଡକୂଳସ୍ଥିତ ଜେଟିରେ ଏହି ଅଘଟଣ ଘଟିଛି। ବଡକୂଳ ଗ୍ରାମର ପ୍ରଫୁଲ୍ଲ ବାରିକଙ୍କ ୧୫ ବର୍ଷୀୟ ପୁଅ ଆନନ୍ଦ ବାରିକ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍‌ ଆଘାତରେ ଗୁରୁତର ଆନନ୍ଦଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ପ୍ରଫୁଲ୍ଲଙ୍କର ବଡକୂଳ ଜେଟି ପାନ୍ଥନିବାସରେ ଏକ ଦୋକାନ ରହିଥିବା ବେଳେ ଶନିବାର ଦିନ ପିତାଙ୍କ ସହାୟତା ପାଇଁ ପହଞ୍ଚିଥିଲେ ଆନନ୍ଦ। ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ହୋଇଥିବା ବେଳେ ଅପରାହ୍ନ ୬ଟାରେ ପୁନର୍ବାର ଚାଲୁ ହୋଇଥିଲା। ସନ୍ଧ୍ୟା ସମୟରେ ଆନନ୍ଦ ଜେଟିର ରେଲିଂକୁ ଧରିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଚିଲିକା ପରିଭ୍ରମଣରେ ଦୈନିକ ସହସ୍ରାଧିକ ପର୍ଯ୍ୟଟକଙ୍କ ଆସୁଛନ୍ତି। ବାଲୁଗାଁ ସମେତ ବଡକୂଳ ପାନ୍ଥନିବାସ ନିକଟରେ ଥିବା ଜେଟିରୁ ପର୍ଯ୍ୟଟକମାନେ ବୋଟ୍‌ ସାହାଯ୍ୟରେ ଚିଲିକା ଭିତରକୁ ଯାଇ ଜଳକ୍ରୀଡ଼ାର ମଜା ନେଇଥା’ନ୍ତି।  ଶନିବାର ଦିନ ଛୁଟି ଦିନ  ଥିବାରୁ ପାନ୍ଥନିବାସରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିଲା । ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିଲା। ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ଗହଳି କମିବା ପରେ ଜେଟି ନିକଟରେ ଆନନ୍ଦ ଚଲାବୁଲା କରୁଥିଲେ। ପାନ୍ଥନିବାସ ଓ ଘରୋଇ ମୋଟର ବୋଟ ଜେଟି ନିକଟରେ ଲାଗିଥିବା ଷ୍ଟିଲ୍‌ ରେଲିଂରେ କୌଣସି କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା । ଆନନ୍ଦ ବୁଲୁଥିବା ବେଳେ ରେଲିଂକୁ ଧରିବାରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଆନନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡକୂଳରେ ଉତ୍ତେଜନା ପ୍ରକାଶ ପାଇଛି।

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜେଟିର ୫୦୦ମିଟର ପର୍ଯ୍ୟନ୍ତ ଷ୍ଟିଲ ରେଲିଂ ବ୍ୟବସ୍ଥା କରାଯାଇଥିବା ବେଳେ ନାବାଳକର ମୃତ୍ୟୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଡ଼କୂଳ ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନର ଏପରି ଦାୟିତ୍ବହୀନତା ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଏପରି ଅଘଟଣ ପାଇଁ ସ୍ଥାନୀୟ ବାସିନ୍ଦା ମୃତକଙ୍କ ପରିବାରକୁ ସହାୟତା ରାଶି ଦେବା ଲାଗି ଦାବି କରିଛନ୍ତି ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts