ବାଣପୁରରେ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

Published: Jan 8, 2020, 4:53 pm IST

ସମୀକ୍ଷା ବ୍ୟୁରୋ

ବାଣପୁର: ଆଜି ସାରା ଭାରତରେ 10 ଟ୍ରେଡ୍‌ ୟୁନିଅନ୍‌ ଭାରତ ବନ୍ଦ କରିଛନ୍ତି। ଏହାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେଉଥିବାବେଳେ ଏଥିରୁ ବାଦ୍‌ ପଡିନାହିଁ ଚିଲିକା ନିର୍ବାଚନ ମଣ୍ଡଳୀ। ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଦୀପ ସ୍ବାଇଁଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ବନ୍ଦ ଡାକରା ଦିଆଯାଇଛି। ପ୍ରଦୀପ ସ୍ବାଇଁ ଗତ 2019 ବିଧାନସଭା ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ରହିଥିଲେ। ଏହି ଅବସରରେ ଶ୍ରୀ ସ୍ବାଇଁ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ସ୍ବେଚ୍ଛାଚାରୀ ଶାସନ ପ୍ରତିବାଦରେ ଏହି ବନ୍ଦ କରାଯାଇଛି ।  ଦେଶରେ ଆର୍ଥିକ ମାନ୍ଦାବସ୍ଥା ତଥା ଶ୍ରମିକ ଓ କୃଷକ ସେମାନଙ୍କ ନ୍ୟାୟ ଅଧିକାରର ବଞ୍ଚିତ ରହିଥିବାବେଳେ ନାରୀ ଅସୁରକ୍ଷିତ ରହିଛନ୍ତି। ଏହାକୁ ନେଇ ଶ୍ରମିକ ସଙ୍ଗଠନ ସହିତ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କମିଟି ଏହି ବନ୍ଦକୁ ସମର୍ଥନ କରି ଚିଲିକା ନିର୍ବାଚନ ମଣ୍ଡଳୀରେ ବନ୍ଦ କରିଛନ୍ତି। ଏହାର ପ୍ରଭାବରେ ବାଣପୁର ବ୍ଲକ୍‌ରେ ସରକାରୀ ଅଫିସ, ସ୍କୁଲ, କଲେଜ ସବୁ ବନ୍ଦ ରହିଥିଲା।

ସୂଚନାଯୋଗ୍ୟ, ମୋଦି ସରକାରଙ୍କ ଶ୍ରମିକ ମାରଣ ନୀତି ତଥା ବେରୋଜଗାର ଓ  ଦରଦାମ ବୃଦ୍ଧି ପ୍ରତିବାଦରେ 24 ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ଏହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଚକ, ଅଖ ସବୁ ବନ୍ଦ ରହିଛି। ତେବେ କେଉଁଠାରେ କିଛି ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଥିବାର ସୂଚନା ମିଳିନାହିଁ ।

Related posts