କ୍ଷତିପୂରଣ ବୀମା ରାଶି ଦେବା ପାଇଁ ଅନ୍ୟାୟ ଭାବରେ ଟଙ୍କା ଆଦାୟ କରୁଛି ସେବା ସମବାୟ ସମିତି

Published: Jan 8, 2020, 7:24 pm IST

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର : କୃଷିଋଣ ବୀମା ଛାଡ ବାବଦରେ ମିଳିଥିବା କ୍ଷତିପୂରଣ ରାଶି ପାଇଁ ଅନ୍ୟାୟ ଭାବରେ ଟଙ୍କା ଆଦାୟ କରାଯିବା ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ପଙ୍କପାଳ ସେବା ସମବାୟ ସମିତିର ସଭ୍ୟମାନେ ଏନେଇ ଏକ ଅଭିଯୋଗ କରିଛନ୍ତି। 2017 ଓ 2018ବର୍ଷର ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଯାଇଥିବାବେଳେ ଏନେଇ ବୀମା କମ୍ପାନୀ ଚାଷୀମାନଙ୍କୁ 56% କ୍ଷତିପୂରଣ ପ୍ରଦାନ କରିଛି। ମାତ୍ର ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବା ପାଇଁ ପଙ୍କପାଳ ସେବା ସମବାୟ ସମିତିର ସମ୍ପାଦକ ଓ ସଭାପତି ଚାଷୀମାନଙ୍କୁ ବ୍ୟାଙ୍କ ପାସ୍‌ବୁକ୍‌ ତଥା ଆଧାର କାର୍ଡ ସହିତ ଜୋର୍‌ଜବରଦସ୍ତି ଏକ ହଜାର ଟଙ୍କା ପାଇଁ ପଚାଶ ଟଙ୍କା ଲେଖାଏଁ ଆଦାୟ କରିବାର ଅଭିଯୋଗ ହୋଇଛି । ସଭ୍ୟମାନେ ଯେତେ ପ୍ରତିବାଦ କଲେ ମଧ୍ୟ ଏହାକୁ ଶୁଣୁନାହାନ୍ତି ସମ୍ପୃକ୍ତ ଅଧିକାରୀ। ଟଙ୍କା ନଦେଲେ ବୀମା ଟଙ୍କା ପାଇବାରୁ ବଞ୍ଚିତ ହେବେ ବୋଲି କହୁଛନ୍ତି। ସେହିପରି 2017-18 ମସିହାରେ ମଣ୍ଡିରେ ଧାନ ଦେଇଥିବା ଅଖା ପଇସା ଅଦ୍ୟାବଧି ଚାଷୀଙ୍କୁ ଫେରସ୍ତ ମଧ୍ୟ କରାଯାଇନାହିଁ। ଏନେଇ ପଙ୍କପାଳ ସେବା ସମବାୟ ସମିତିର ସଭ୍ୟ ସଭ୍ୟା ବୃନ୍ଦମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Related posts