ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହଋଣ ବଣ୍ଟନ କାର୍ଯ୍ୟକ୍ରମ

Published: Feb 15, 2020, 3:14 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର : ଆନ୍ଧ୍ର ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୂଳଭୂଷଣ ଜୈନ୍‌ଙ୍କ ଦିନିକିଆ ଆନ୍ଧ୍ରବ୍ୟାଙ୍କ ବ୍ରହ୍ମପୁର ଅଞ୍ଚଳ ପରିଦର୍ଶନ ପରିପ୍ରେକ୍ଷୀରେ ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍‌ ଶାଖା ଦ୍ବାରା ସହରାଞ୍ଚଳ ତଳିଆ ଅଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନସ୍ଥ ଗୃହଋଣ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଫାଷ୍ଟ ଗେଟ୍‌ ନିକଟସ୍ଥ ଧୋବାବନ୍ଧ ହୁଡାଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୌରପାଳିକା ଦ୍ବାରା ତିଆରି ହୋଇଥିବା ଘରଗୁଡିକ ପାଇଁ ସହରତିଆ ଅଞ୍ଚଳ ଲୋକଙ୍କ ଥଇଥାନ ଉଦ୍ଦେଶ୍ୟରେ ଗୃହଋଣ ଆବଣ୍ଟନର ବ୍ୟବସ୍ଥା ହୋଇଥିଲା । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୈନ୍‌ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ପ୍ରଧାନ (ସିଜିଏମ୍‌), ଭୁବନେଶ୍ବର ନାୟକ (ଡିଜିଏମ୍‌), ଅନୋଜ କୁମାର ପ୍ରଧାନ (ଏଜିଏମ୍‌) ଓ ଆନ୍ଧ୍ର ବ୍ୟାଙ୍କ ଆସ୍କାରୋଡ୍‌ ଶାଖା ପରିଚାଳକ ବାସୁଦେବ ସ୍ବାଇଁ ଯୋଗଦେଇଥିଲେ।

ବ୍ରହ୍ମପୁର ପୌରପାଳିକା ଅଧୀନସ୍ଥ ରାଜୀବ ଆଓ୍ବାସ ଯୋଜନାରେ ନିର୍ମିତ ହୋଇଥିବା ସମସ୍ତ 2000 ଗୃହ ପାଇଁ ଗୃହଋଣ ମଞ୍ଜୁର କରିବା ପାଇଁ ଆନ୍ଧ୍ର ବ୍ୟାଙ୍କ୍‌ ବଦ୍ଧପରିକର । ଅଦ୍ୟାବଧି ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍‌ ଶାଖା ପ୍ରାୟ 600 ଜଣଙ୍କୁ ଗୃହ ଋଣ ମଞ୍ଜୁର କରି ସାରିଲେଣି ଏବଂ ଆଜି ପ୍ରାୟ 60 ହିତାଧିକାରୀଙ୍କୁ ଗୃହଋଣ ମଞ୍ଜୁରିପତ୍ର ଶ୍ରୀଯୁକ୍ତ ଜୈନ୍‌ଙ୍କ ଦ୍ବାରା ପ୍ରଦାନ କରାଯାଇଅଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୈନ୍‌ ସହରତଳିଆ ଅଞ୍ଚଳ ଗରିବ ଲୋକଙ୍କୁ ଥଇଥାନ ଯୋଜନା ମାଧ୍ୟମରେ ପକ୍କାଘର ପ୍ରଦାନ ପାଇଁ ଆନ୍ଧ୍ରବ୍ୟାଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ । ସେହିପରି ହିତାଧିକାରୀମାନେ ନିଜ ନିଜର ଋଣ ରାଶି ସମୟ ସୀମା ମଧ୍ୟରେ ପରିଶୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସଭାଶେଷରେ ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍‌ ଶାଖା ପରିଚାଳକ ବାସୁଦେବ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts