ଖାକିର ମାନବିକତା : ବୃଦ୍ଧାଙ୍କୁ ପୋଲିସ୍‌ ଭ୍ୟାନ୍‌ରେ ନେଇ ଘରେ ଛାଡିଲେ ପୋଲିସ୍‌ ଏସ୍‌ଆଇ

Published: Apr 21, 2020, 12:09 pm IST

ବବୁଲୁ ସାହୁ

କଳାହାଣ୍ଡି :ସାରା ଦେଶରେ ଲକ୍ ଡାଉନ୍‌ ଚାଲିଛି । ଲକ୍‌ ଡାଉନ୍‌ରେ ପୋଲିସ୍‌ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲକ୍ ଡାଉନ୍‌ ସମୟରେ ପୋଲିସ୍‌ ଟିକେ ରୁକ୍ଷ ହୋଇ ପରିସ୍ଥିତିକୁ ଆୟତ୍ତ କରୁଛନ୍ତି ସତ, କିନ୍ତୁ ମାନବିକତାକୁ ହାର୍‌ ମାନିବାକୁ ଦେଉନାହାନ୍ତି । ପୋଲିସ୍‌ମାନଙ୍କର ଉଦାରତା ପ୍ରାୟ ସମୟରେ ଦେଖିବାକୁ ମିଳୁଛି । ନିକଟରେ ହାତନ ଥିବା ମାଙ୍କଡକୁ କଦଳୀ ଖୁଆଇ ମାନବିକତାର ଅନନ୍ୟ ପ୍ରଦର୍ଶନ କରିଥିବା ପୋଲିସ୍‌ଙ୍କ କାହାଣୀ ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଜଣେଖାକି ପୋଷାକଧାରୀଙ୍କ ମାନବିକତା ଚର୍ଚ୍ଚାକୁ ଆସିଛି।

ରାମପୁର ପୋଲିସ୍‌ ଭ୍ୟାନ୍‌ରେ ଲକ୍‌ ଡାଉନ୍‌ ପେଟ୍ରୋଲିଂ କରୁଥିବା ସମୟରେ ରାସ୍ତା କଡର ବୃଦ୍ଧଙ୍କୁ ଦେଖି ଅଟକିଥିଲେ ରାମପୁର ଥାନା ଏସଆଇ ବିନତି ଟପି। ତୁରନ୍ତ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି ଏସ୍‌ଆଇ ଜଣକ । ବୃଦ୍ଧା ଜଣକ ଡାକ୍ତରଖାନାରୁ ଘରକୁ ଫେରୁଥିଲେ । ମାତ୍ର ସେ ଚାଲି ପାରୁନଥିବାବେଳେ ସେ ମୋଟରସାଇକେଲରେ ମଧ୍ୟ ଠିକରେ ବସିପାରୁନଥିଲେ । ରାସ୍ତାରେ ଅସହାୟ ଭାବରେ ବସିପଡିଥିଲେ ବୃଦ୍ଧା ଜଣକ । ଲକ୍ ଡାଉନ୍‌ ଯୋଗୁଁ ରାସ୍ତାର କୌଣସି ଗାଡି ଚାଲୁନଥିବାରୁ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ରାସ୍ତାକଡରେ ବସିଥିଲେ ।ବୃଦ୍ଧାଙ୍କ ଏପରି ଅସମୟରେ ପୋଲିସ୍‌ ମ୍ୟାଡାମ୍‌ ଜଣକ ମାନବିକତା ନିଦର୍ଶନ ସ୍ବରୂପ ତାଙ୍କୁ ପୋଲିସ୍‌ ଭ୍ୟାନ୍‌ରେ ବସାଇ ଘରେ ଛାଡିଥିଲେ । ଏସ୍‌ଆଇ ଟପିଙ୍କ ଏଭଳି ମାନବିକତା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏସ୍‌ଆଇଙ୍କ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ବାସୀ ସାଧୁବାଦ ଜଣାଇଛନ୍ତି ।

 

Related posts