କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବଡହନ୍ତୁଆଡ ଯୁବକଙ୍କ ଅଭିନବ ପ୍ରୟାସ: ନିଜ ଗାଁକୁ କଲେ ସାନିଟାଇଜ୍‌

Published: May 16, 2020, 6:21 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: କରୋନା ମହାମାରୀ ସମୟରେ ନିଜ ଗ୍ରାମକୁ ସୁରକ୍ଷିତ ରଖିବାର ଏକ ଅନନ୍ୟ ପ୍ରୟାସ କରିଛନ୍ତି ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଗ୍ରାମର କିଛି ଯୁବକ। ପ୍ରଶାସନ ପକ୍ଷରୁ ଗ୍ରାମକୁ ସାନିଟାଇଜ୍‌ କରାଯାଉନଥିବା ବେଳେ ୧୨ ନମ୍ବର ଓ୍ବାର୍ଡର କିଛି ଯୁବକ ନିଜ ପ୍ରୟାସରେ ସମଗ୍ର ଗାଁକୁ ସାନିଟାଇଜ୍‌ କରିଛନ୍ତି। ଏହା ସହିତ ଘର ଘର ବୁଲି କରୋନା ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ସାମାଜିକ ଦୂରତ୍ବର ପାଳନ କରିବା ସହିତ କରୋନା ଆକ୍ରାନ୍ତଙ୍କୁ ଘୃଣାଚକ୍ଷୁରେ ନଦେଖିବା ପାଇଁ କହିବା ସହିତ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ଏହି ଯୁବଗୋଷ୍ଠୀ। ପୋଲିସ୍‌, ଡାକ୍ତର ଏବଂ ସରକାରୀ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ସହିତ ସରକାରଙ୍କ ସହ ହାତ ମିଶାଇ କରୋନା ସହ ଲଢିବା ଉଚିତ୍‌ ବୋଲି ମତ ଦେଇଥିଲେ। ଯୋଗ ପ୍ରଶିକ୍ଷକ ଅଜୟ ଦାସ, ଅଧ୍ୟାପକ ଶିଶିର ନାୟକ, ଶିକ୍ଷକ ଉମାକାନ୍ତ ଶାସମଲ, ଶିକ୍ଷାବିତ ସତ୍ୟନାରାୟଣ ବାରିକ, ଯୁବ ସ୍ବେଚ୍ଛାସେବୀ ଜିତୁ, ସୋନୁ, ମଙ୍ଗୁଳି, ହେମନ୍ତ, କାବୁ, ଚିନ୍ତାମଣି, ମଣ୍ଟୁ ଓ ଦୁର୍ଗା ପ୍ରମୁଖ ଏହି ସାନିଟାଇଜେସନ୍‌ରେ ସହାୟତା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ପଲଟଣ ପଡିଆରେ ରଖାଯାଉଛି। ସରକାରୀ ଅଧିକାରୀ ତୁରନ୍ତ ଏମାନଙ୍କ ନିକଟରେ ପହଞ୍ଚୁନଥିବାରୁ ସେମାନେ ଉକ୍ତ ଅଞ୍ଚଳରେ ଚତୁଃପାର୍ଶ୍ବରେ ବୁଲାବୁଲି କରୁଛନ୍ତି। ପ୍ରବାସୀ ମାନେ ଏଠାରେ ଅବସ୍ଥାନ କରୁଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଉକ୍ତ ଅଞ୍ଚଳର ବିଶୋଧନ କରାଉନାହାନ୍ତି। ଫଳରେ ଯୁବଗୋଷ୍ଠୀ ଗ୍ରାମବାସୀଙ୍କ ସହାୟତାରେ ଏହି ଅଞ୍ଚଳର ବିଶୋଧନ କରିଛନ୍ତି। ତେବେ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ଘଟିଲେ ଜଟିଳ ପରସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

Related posts