ଶୁଣ୍ଢିମୁଣ୍ଡାରେ ପାନୀୟ ଜଳର ଉକ୍ତଟ ଅଭାବ: ବୌଦ୍ଧ -ରେଢାଖୋଲ ରାସ୍ତା ଅବରୋଧ ଧମକ

Published: Jun 3, 2020, 7:02 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଂଚଳରେ ଉକ୍ତଟ ପାନୀୟ ଜଳର ଅଭାବ ଦେଖା ଦେଇଛି। ରେଢାଖୋଲ ଏନ୍‌ଏସିର ଶୁଣ୍ଢିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବକୁ ନେଇ ରାସ୍ତା ଅବରୋଧ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସିର ଶୁଣ୍ଡିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ରେଢାଖୋଲ ଏନ୍‌ଏସିର ଓାର୍ଡ ନଂ ୨ ର ଏହି ଗ୍ରାମରେ ଶତାଧିକ ଲୋକ ବାସ କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ନିକଟସ୍ଥ କେରାଣ୍ଡିଜୋରକୁ ପାଣି ପାଇଁ ଯାଉଛନ୍ତି। ସେମାନେ ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଗରୁ ଉଚ୍ଚ କତୃପକ୍ଷଙ୍କୁ ଲିଖିତାକାରରେ ଜଣାଇଥିଲେ ହେଲେ ଏ ପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା ହୋଇ ପାରିଲା ନାହିଁ।

ଗତ ତା ୨୬ ମଇ ରେ ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପୁନର୍ବାର ଲିଖିତାକାରରେ ଜଣାଇଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର କରା ନ ଯିବାରୁ ଆଜି ପୁଣିଥରେ ଶୁଣ୍ଢିମୁଣ୍ଡା ଗ୍ରାମବାସୀ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଆଗାମୀ ଜୁନ୍ ୫ ତାରିଖରେ ବୌଦ୍ଧ – ରେଢାଖୋଲ ରାସ୍ଥା ଅବରୋଧ କରିବେ ବୋଲି ଦାବି ପତ୍ରରେ ଲେଖିଛନ୍ତି। ଗ୍ରାମବାସୀ ଆଜି ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁୁ ସାକ୍ଷାତ କରି ଦାବୀପତ୍ର ଦେଇଛନ୍ତି। ପୂର୍ବରୁ ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ,ରେଢାଖୋଲ, ଉପଖଣ୍ଡ ଜଳଯୋଗାଣ ଅଧିକାରୀ ଆଦିଙ୍କୁ ମଧ୍ୟ ଲିଖିତାକାରରେ ଜଣାଇଥିଲେ।

Related posts