ଆଇନଜୀବୀଙ୍କୁ ତହସିଲ୍‌ଦାରଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ

Published: Jun 7, 2020, 10:02 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଆଇନଜୀବୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଆଇନଜୀବୀ ଲଳିତ ମଙ୍ଗରାଜ ନିର୍ମାଣ ଶ୍ରମିକଙ୍କ ପାଇଁ ଖାଇବା ନେଇ ଯାଉଥିବା ବେଳେ ତହସିଲଦାର ସିପକ ପାତ୍ର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଶ୍ରୀ ମଙ୍ଗରାଜ ଏବଂ ତାଙ୍କର କିଛି ଆଇନଜୀବୀ ବନ୍ଧୁ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ।

ଆଇନଜୀବୀଙ୍କ ଅଭିଯୋଗମ ଅନୁଯାୟୀ ସେ, ହେଲମେଟ ଏବଂ ମାସ୍କ ପିନ୍ଧି ନିର୍ମାଣ ଶ୍ରମିକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ତହସିଲଦାରଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ରହିଥିବା ସତ୍ତ୍ବେ ତହସିଲ୍‌ଦାର ତାଙ୍କ ନିକଟରୁ 500 ଟଙ୍କାର ଜରିମାନା ଆଦାୟ କରିଥିଲେ । ଏହି କାଗଜ ପତ୍ର ଆପଣ କୋର୍ଟରେ ଦେଖାଇବେ ବୋଲି ତହସିଲଦାର କହିଥିଲେ । ଏହି ଘଟଣା ପରେ ଓକିଲଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ମାମଲାର ତଦନ୍ତ କରାଯିବ ବୋଲି ମତ ଦେଇଛନ୍ତି ଟାଉନ୍‌ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ । ଉଲ୍ଲେଖଯୋଗ୍ୟ ଯେ, ବିଗତ ଚାରିମାସ ମଧ୍ୟରେ ତହସିଲଦାରଙ୍କ ନାମରେ ୧୨୧୩୫/୨୦, ୫୫/୨୦, ୧୦୪୫୬/୨୦, ୯୧୦୬/୨୦, ୮୦୬୭/୨୦ରେ ବିଭିନ୍ନ ମାମଲା ରୁଜୁ ହୋଇଛି ।

Related posts