ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କଲେ ବିଧାୟିକା

Published: Jun 10, 2020, 6:42 pm IST

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ସାମାଜିକ ଦୂରତ୍ୱ ଅବଲମ୍ବନ କରି ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହ ଯୋଜନା ସଂପର୍କରେ ଅବଗତ କରିଛନ୍ତି । ସୁମଣ୍ଡଳ ରାଜସ୍ବ ନିରୀକ୍ଷକଙ୍କ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ୧୫ ଜଣ ଭୂମିହୀନ ହିତାଧିକାରୀ ବସୁନ୍ଧରା ଯୋଜନାରେ ପଟ୍ଟା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସେଥିମଧ୍ୟରୁ ୧୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ବେଳେ ୪ ଜଣ ହିତାଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପଟ୍ଟା ଦିଆଯାଇପାରି ନାହିଁ । ପରବର୍ତ୍ତୀ ସମୟରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରଭାତ କୁମାର ପରିଡା କହିଛନ୍ତି । କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନଙ୍କ ସମେତ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ, ରାଜସ୍ବ ନିରୀକ୍ଷକ ହୃଷିକେଶ ପଲାଇ, ମହେନ୍ଦ୍ର କୁମାର ଗୌଡ଼ଙ୍କ ସମେତ କର୍ମଚାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ ।

Related posts