ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ବୈଠକ

Published: Jun 11, 2020, 1:07 pm IST

ଜଗତସିଂହପୁର : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଯୋଗଦେଇ କହିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ଫସଲ ପାଇଁ ଚାଷୀଙ୍କୁ ବୀମା ସୁବିଧା କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଥାଏ। ୨୦୧୯-୨୦ ବର୍ଷ ପାଇଁ ଶୀତଦିନିଆ ଆଳୁଚାଷ, ଖରାଦିନିଆ ଧାନଚାଷ ଓ ଖରାଦିନିଆ ଚିନାବାଦାମ ଚାଷ ପାଇଁ ଅଧିସୂଚିତ ବ୍ଲକ ଓ ପଞ୍ଚାୟତୱାରୀ କ୍ରପ୍ କଟିଙ୍ଗ୍ କରାଯାଇଥିଲା। ଏହା ଆଜିର ବୈଠକରେ ଅନୁମୋଦନ ଲାଭ କରିବ।

ଏହି ବୈଠକରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପନିର୍ଦ୍ଦେଶକ ସବିତା ସାହୁ ଯୋଗଦେଇ ପାୱାରଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବ୍ଲକ୍ ଓ ପଞ୍ଚାୟତ ୱାରୀ କ୍ରପ୍ କଟିଙ୍ଗ୍ ର ରିପୋର୍ଟ ବୈଠକରେ ଉପସ୍ଥାପିତ କରିଥିଲେ। ଶୀତଦିନିଆ ଆଳୁଚାଷ ନିମନ୍ତେ କୁଜଙ୍ଗ ବ୍ଲକକୁ ଅଧିସୂଚିତ ଭାବେ ନିଆଯାଇ ୧୬ଟି କ୍ରପ୍ କଟିଙ୍ଗ୍ ପରିକ୍ଷା କରାଯାଇଥିଲା।ସେହିପରି ଖରାଦିନିଆ ଧାନଚାଷ ପାଇଁ କୁଜଙ୍ଗ ଓ ଏରସମା ବ୍ଲକର ୧୨ଟି ପଞ୍ଚାୟତ ଅଧିସୂଚିତ ଭାବେ ଗ୍ରହଣ କରାଯାଇ କ୍ରପ୍ କଟିଙ୍ଗ୍ କରାଯାଇଥିଲା। କୁଜଙ୍ଗ ବ୍ଲକର ଭୁତମୁଣ୍ଡେଇ, ନୁଆଗଡ, କୋଠି, ବିଶ୍ୱାଳି ଏବଂ ପାରାଦ୍ବୀପଗଡ ଓ ଏରସମା ବ୍ଲକର ଗଡକୁଜଙ୍ଗ, ନୁଆଗାଁ, କୁଂଜକୋଠି, ବାଲିତୁଠ, ଢିଙ୍କିଆ, ଗଡହରିଶପୁର ଏବଂ ବାମଦେଇପୁର ପଞ୍ଚାୟତରେ କ୍ରପ୍ କଟିଙ୍ଗ୍ ଅନୁଷ୍ଠିତ ହୋଇଥିଲା। ଖରାଦିନିଆ ଚିନାବାଦାମ ଚାଷ ପାଇଁ ୪ଟି ବ୍ଲକ ରଘୁନାଥପୁର, ଜଗତସିଂହପୁର, ନାଉଗାଁ ଓ କୁଜଙ୍ଗ ବ୍ଲକକୁ ଅଧିସୂଚିତ ଭାବେ ଗ୍ରହଣ କରାଯାଇ ୧୬ଟି କ୍ରପ୍ କଟିଙ୍ଗ୍ ପରୀକ୍ଷା କରାଯାଇଥିଲା। ଜିଲ୍ଲାସ୍ତରୀୟ ବୈଠକରେ ଏହା ଅନୁମୋଦନ ଲାଭ କରିଥିଲା।

ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ,ଡି.ଡି.ଏମ୍ ନାବାର୍ଡ ବିଶ୍ୱଭୂଷଣ ମହାନ୍ତି ,ଏଲ୍.ଡି.ଏମ୍ ସତୀଶ ଚନ୍ଦ୍ର ପାତ୍ର ,ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ମିହିର କୁମାର ସ୍ବାଇଁଙ୍କ ସମେତ ସମବାୟ ଓ ବୀମା କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related posts