ସରକାରୀ ସାହାଯ୍ୟ ଅପେକ୍ଷାରେ ନାବାଳିକା ମଞ୍ଜୁ ମାଝୀ : ଦୁଃଖ ଭରା କାହାଣୀକୁ ଶୁଣିବ କିଏ, ବୁଝିବ କିଏ

Published: Jun 25, 2020, 6:09 pm IST

ବବୁଲୁ‌ ସାହୁ

କେସିଙ୍ଗା :  ଗରିବ ଲୋକଙ୍କ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଅସଲ ହିତାଧିକାରୀ ଏହି ଯୋଜନାର ବଞ୍ଚିତ ହେଉଛନ୍ତି । ଜଣେ ଗରିବ ଦୁଃଖିନୀଟେ ପାଇଁ  ସରକାରୀ ଯୋଜନା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି । ଏହିପରି ଏକ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଦେଖିବାକୁ ଏକ ଦୁଃଖ ଭରା କାହାଣୀ । ପ୍ରାୟ ୪ ବର୍ଷ ହେଲା ବାପା ଓ ମାଁ ଦୁହେଁ ତାଙ୍କର ପୁଅ ମିତ୍ରସେନ ମାଝୀ ଓ ମଞ୍ଜୁ ମାଝୀଙ୍କୁ ଛାଡି ଦେଇ ଆରପାରିକୁ ଚାଲିଯାଇଛନ୍ତି । ପୁଅର ବୟସ 20 ବର୍ଷ ହୋଇଥିବାବେଳେ ଝିଅଟିର ବୟସର 16 ବର୍ଷ ।ତାପରେ ପରେ ଗତ କିଛି ଦିନ ପରେ ତାଙ୍କର ଭାଇ ମିତ୍ରସେନ ମାଝୀ ମଧ୍ୟ ଭଉଣୀ ମଞ୍ଜୁ ମାଝୀକୁ ଛାଡି ଦେଇ ଆରପାରିକୁ ଚାଲିଗଲେ । ବର୍ତ୍ତମାନ ଏବେ ଭଉଣୀ ବେସାହାରା ହୋଇ ତାଙ୍କର କାକା ପିତବାସ ମାଝୀଙ୍କ ଘରେ ରହୁଛନ୍ତି।

ମଞ୍ଜୁ ମାଝୀଙ୍କ ପରିବାରରେ ଆଉ କେହି ନଥିବାବେଳେ ସେ ରହୁଥିବା ତାଙ୍କ କାକାଙ୍କ ଘରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ । ସମେସ୍ତ ଦିନ ମଜୁରୀ କରି ପେଟ ପୋଷିଥାନ୍ତି । ଗରିବ ସୀମାରେଖା ତଳେ ଥାଇ ବି ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିପାରିନାହିଁ । ମୁଣ୍ଡ ଗୁଞ୍ଜିବାକୁ ପାଖରେ ଘର ଖଣ୍ଡିଏ ନାହିଁ । ଘର ବୋଲି ଯାହା ଅଛି, ତାହା ପୁଣି ଭଙ୍ଗା ରୁଜୁା ଅବସ୍ଥାରେ । ଏପରିକି ସରକାର ତରଫରୁ ପ୍ରଚଳିତ ହୋଇଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ମଧ୍ୟ ତାଙ୍କୁ ମିଳିପାରିନାହିଁ।ଏନେଇ ମଞ୍ଜୁଙ୍କ କାକା ଓ ପଡୋଶୀ ସରପଞ୍ଚଙ୍କୁ ଜଣାଇଥିବା ସତ୍ତ୍ବେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କିଛି ସହାୟତା ମିଳିପାରିନାହିଁ । ପ୍ରତିଥର ସରପଞ୍ଚ ସାର୍ଟିଫିକେଟ୍‌, କାଗଜ କଲମ କଥା କହିଚାଲିଥିବାବେଳେ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ ମିଳିପାରୁନାହିଁ । ଏନେଇ ଗ୍ରାମବାସୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ଗରିବ ଦୁଃଖୀ ଯୁବତୀଙ୍କୁ ସରକାରୀ ସହାୟତା ଦେବା ଲାଗି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।

ଜଣେ  ଗରିବ ନାବାଳିକା ପ୍ରତି ସରକାରୀ ଉଦାସୀନତାକୁ ଦେଖି ସରକାରୀ ଯୋଜନା ସବୁ ଗରିବଙ୍କ ପାଇଁ ନୁହେଁ ବରଂ କୋଟିପତିଙ୍କ ପାଇଁ ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଗରିବ ଦୁଃଖୀ ରଙ୍କୀମାନେ ସରକାରୀ ଯୋଜନା ପାଉନଥିବାବେଳେ ଥିଲାବାଲା ଲୋକେ ସରକାରୀ ଯୋଜନାର ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।

Related posts