ଭେଟେଶ୍ବର ପଂଚାୟତରେ ପ୍ରଥମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ୫୦ରୁ ଅଧିକ, ମିଳିଛି ୩୪ ଜଣଙ୍କ ରିପୋର୍ଟ

Published: Jul 8, 2020, 9:21 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାପରେ ପ୍ରଶାସନ ତରଫରୁ କଡା ପଦକ୍ଷେପ ନେବା ସ୍ବରୂପ ସମ୍ପୃକ୍ତ ଅଞ୍ଚଳକୁ ୯ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଛି।

ସେମାନଙ୍କ ମଧ୍ଯରୁ କ୍ବାରେଣ୍ଟାଇନରେ ଥିବା ୨୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପରିବାରର ୫ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଛି। କ୍ବାରେଣ୍ଟାଇନରେ ଥିବା ୨୯ ଜଣଙ୍କ ମଧ୍ୟରୁ ୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ନିଜ ନିଜ ଘରକୁ ପଳାଇଥିଲେ।

ସଂକ୍ରମିତ ବ୍ୟକ୍ତି ଜଣକ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ସାଙ୍ଗସାଥୀ ଓ ପରିବାରଙ୍କ ସହିତ ଦୁଇଟି ଭୋଜିରେ ଯୋଗ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମ ଭିତରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ପ୍ରାୟ ୫୦ ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ୟକ୍ତି ଜଣକ ସଂକ୍ରମିତ ହେବାର ସୂଚନା ପରେ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ସ୍ବାବ୍‌ ଟେଷ୍ଟ କରାଯାଉଛି।

ସୂଚନାଯୋଗ୍ୟ, ଭେଟେଶ୍ବର ପଂଚାୟତରେ କୋଭିଡ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା। ଏବେ ସରପଞ୍ଚ ସଂକ୍ରମିତଙ୍କ କଂଟ୍ରାକ୍ଟ ଟ୍ରେସିଂ କରୁଥିବା ବେଳେ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କୁ ହୋମ କ୍ବାରେଣ୍ଚାଇନରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ କହିଛନ୍ତି। ଫଳରେ ପଞ୍ଚାୟତରେ ଆଶ୍ବସ୍ତି ପ୍ରକାଶ ପାଇଛି। ହେଲେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଯେଉଁମାନେ ଭୋଜିରେ ସାମିଲ ଥିଲେ, ସେମାନଙ୍କ ରିପୋର୍ଟ ଆସିନଥିବାରୁ ଗାଁରୁ ସଂକ୍ରମଣ  ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇନାହିଁ।

Related posts