
ପିଣ୍ଟୁ ବିଷୋୟୀ
କୋଦଳା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ବେଗୁନିଆପଡା ଓ କବିସୂର୍ଯ୍ୟନଗର ବ୍ଲକ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ସୁମଣ୍ଡଳ ପଞ୍ଚାୟତର ଭାଲ୍ୟାଝର ଗ୍ରାମର ଗୋଟିଏ ପରିବାରର ଦୁଇ ଜଣଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ବିଧାୟିକା ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।
ଏହାପରେ ଅଙ୍ଗାରଗାଁ ଯାଇ କରୋନାରେ ତିନି ଜଣ ପ୍ରାଣ ହରାଇଥିବା ପରିବାରକୁ ଭେଟି ବିଧାୟିକା ସମବେଦନା ଜଣାଇଥିଲେ। ସେଠାରୁ ସେ ଶାଳବଣ, ଶାଙ୍କୁଡ଼ା, ବୁରୁଝରୀ, ବେଗୁନିଆପଡା, ଖଣ୍ଡିଆନଇ, ବରିଡା, ଛଚିନା ଆଦି ପଞ୍ଚାୟତ ଗସ୍ତ କରି ସରପଞ୍ଚ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।
କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିବା ସହ ଯେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ବିଧାୟିକାଙ୍କୁ ଜଣାଇବା ପାଇଁ ସମସ୍ତ ସରପଞ୍ଚଙ୍କୁ କହିଥିଲେ। ବିଡ଼ିଓ ଏବଂ ବିଭିନ୍ନ ଅଧିକାରୀଙ୍କ ସହ ଅଞ୍ଚଳର ସ୍ଥିତି ନେଇ ସେ ସମୀକ୍ଷା କରିଥିଲେ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବା ପାଇଁ ବିଧାୟିକା ସମସ୍ତଙ୍କୁ ନିବେଦନ କରିଛନ୍ତି।