ଚିଲିକା ଚନ୍ଦ୍ରାପୁଟ ଗ୍ରାମର ମହିଳା ସଙ୍ଗଠନଙ୍କ ବାଦାହୂରୀ : ୧୧ ପେଟି ଦେଶୀ ମଦ ସହ ବେପାରୀକୁ କାବୁ କରି ପୋଲିସ୍‌ର ଜିମା ଦେଲେ

Published: Jul 25, 2020, 10:32 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଚିଲିକା ନିର୍ବାଚନମଣ୍ଡଳୀରେ ଲକ ଡ଼ାଉନ ସମୟରେ ଚୋରା ଦେଶୀ ମଦ ବେପାର ଅହେତୁକ ଭାବେ ବୃଦ୍ଧି ପାଉଥିବା ସ୍ଥଳେ ଏହାକୁ ବ୍ରେକ ଦେବା ପାଇଁ ବର୍ତ୍ତମାନ ସାଧାରଣ ଜନତା ଅଣ୍ଟା ଭିଡିଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ବାଲୁଗାଁ ଥାନା ଅନ୍ତର୍ଗତ ଗବପଦର ଗ୍ରାମରେ । ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ମହିଳା ସଂଗଠନ ମାନେ ଆଜି ଏକ ବାହାଦୁରୀ କାମ କରି ଦେଖାଇଛନ୍ତି । ଚୋରା ମଦ ବ୍ୟବସାୟ କୁ  ଅଂଚଳରୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଶପଥ ନେଇ ଆଜି ଜଣେ ଦେଶୀ ଚୋରା ମଦବେପାରୀକୁ ଧରି ତାକୁ ନାଭାଲ ପୋଲିସ ଜିମା ଦେଇଛନ୍ତି ।

ଆଜି ପାଖାପାଖି ସନ୍ଧ୍ୟା ୭ ଟା ରେ ଉକ୍ତ ମହିଳା ସଂଗଠନ ର ଶତାଧିକ କର୍ମକର୍ତ୍ତାମାନେ ଗବପଦର ଗ୍ରାମର ବଳଭଦ୍ର ମହାରଣା ନାମକ ଚୋରା ଦେଶୀ ମଦ ବେପାରୀକୁ କାବୁ କରିବା ସହ ୧୧ ପେଟି ଆସ୍କା ଫଟି ସହ ଜବତ କରି ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ଙ୍କ ଜିମା ଦେଇଥିଲେ ।  ଅଭିଯୁକ୍ତ ଜଣକ ତାଙ୍କ ଘରେ ଚୋରା ମଦର ପସରା ଖୋଲିଥିବା ବେଳେ ମହିଳା ମାନେ ଚଢ଼ାଉ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି କେସ ନମ୍ବର ୧୩୫/୨0 ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି । ମହିଳା ସଂଗଠନର ଏତାଦୃଶ କାର୍ଯ୍ୟ ଦେଖି ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।

Related posts