
ରମେଶ ମହାନ୍ତି
ଜଗତସିଂହପୁର: ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି, “ଗ୍ରୀନ ଭିଲେଜ କ୍ଳିନ ଭିଲେଜ” ବିଷୟବସ୍ତୁକୁ ଆଧାର କରି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ନାଉଗାଁ ବ୍ଲକର ତିରୁଣା ପଞ୍ଚାୟତରେ ଏକତା ସ୍ପୋଟିଙ୍ଗ କ୍ଲବ୍ ତିରୁଣା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ଦୁଇଟି ସରକାରୀ ବିଦ୍ୟାଳୟର ଖେଳ ପଡିଆ ଏବଂ ସ୍ୱେବେନେଶ୍ୱର ମନ୍ଦିର ପାର୍ଶ୍ୱରେ ଆକାଶିଆ, ରାଧା ଚୁଡା, ଅଁଳା, ପିଜୁଳି, ବାହାଡା ଏବଂ ଶିଶୁ ଆଦି ବୃକ୍ଷରୋପଣ କରାଯାଇଛି।
ନେହୁରୁ ଯୁବକେନ୍ଦ୍ର ଜଗତସିଂହପୁର ଜିଲ୍ଲା ସଂଯୋଜକ ନିଖିଳ କୋକୋଲା ସହ ସଂଯୋଜକ ପବିତ୍ର ମୋହନ ସୁବୁଧି, ବ୍ଲକ ସଂଯାଜକ ନୃସିଂହ ମହାରଣା, ତିରୁଣା ପଂଚାୟତର ସରପଞ୍ଚ ନିରୁପମା ଦାସ, ନାୟବ ସରପଞ୍ଚ ଦିଜବର ପରିଡା, ସମାଜସେବି ବିଚିତ୍ରାନନ୍ଦ ପଣ୍ଡା ଓ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଏକତା ସ୍ପୋଟିଙ୍ଗ କ୍ଲବ୍ ସଭାପତି ଜ୍ଞାନ ରଞ୍ଜନ ପରିଡା, ଉପଦେଷ୍ଟା ମୁକେଶ ପରିଡା, ସହସଭାପତି ଜ୍ଞାନ ରଞ୍ଜନ ନାୟକ, ସହ କୋଷାଧ୍ୟକ୍ଷ ନୃସିଂହ ପରିଡା, ପ୍ରିୟଦର୍ଶନ ରଥ ଏବଂ ସଭ୍ୟ ସମ୍ପଦ ସ୍ୱାଇଁ ପ୍ରମୁଖ ସୁଚାରୁରୂପେ ସମ୍ପାଦନ କରିଥିଲେ।