ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣଙ୍କ ଅକାଳ ବିୟୋଗରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

Published: Sep 16, 2020, 8:04 pm IST

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ତଥା ବାଲୁଗାଁ ଏନ୍‌ଏସିର ପୂର୍ବତନ ନଗରପାଳ ସତ୍ୟ ନାରାୟଣ ସେନାପତିଙ୍କ ଅକାଳ ବିୟୋଗରେ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରାମ ଅଗ୍ରୱାଲ୍‌, ବାଲୁଗାଁ-ବାଣପୁର ନଗର ସମ୍ପାଦକ ବିକାଶ ସେଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସ୍ୱୟଂସେବକ ଭାଇ ମାନେ, ଚିଲିକା ବିଜେପି ର କାର୍ଯ୍ୟକର୍ତାମାନେ, ଶାଳିଆ ପ୍ରେସ୍ କ୍ଲବ୍‌ର ସମସ୍ତ ସଦସ୍ୟ ବୃୃନ୍ଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ଦୀପଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ସହରର ବିଭିନ୍ନ ଅଞ୍ଚଳ ଦେଇ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବହୁତ ଅଳ୍ପସମୟ ମଧ୍ୟରେ ଜଣେ ଦକ୍ଷ ସଂଗଠକ ଏବଂ ଯୁବନେତା ଭାବେ ଶ୍ରୀ ସେନାପତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏପରିକି ଛାତ୍ର ଜୀବନରୁ ଏବିଭିପି ସହ ଜଡ଼ିତ ହୋଇ କଲେଜ କ୍ୟାରିଅର୍‌ରେ ବାଲୁଗାଁ ମହାବିଦ୍ୟାଳୟରୁ ଦୁଇଥର ସଭାପତି ଦାୟିତ୍ୱରେ ରହି ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ସମାଜରେ ବେଶ୍ ପରିଚିତ ଥିଲେ।

ଏଥିସହିତ ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିବା ସ୍ୱର୍ଗତ ସେନାପତି ବାଲୁଗାଁ ଏନ୍‌ଏସିରେ ନଗରପାଳ ଦାୟିତ୍ୱ ତୁଲାଇଥିବା ବେଳେ ବିଜେପି ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏବଂ ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳର ମଙ୍ଗ ଧରି ନିଜ ଦାୟିତ୍ୱକୁ ସଠିକ୍ ଭାବେ ସମ୍ପାଦନା କରୁଥିଲେ। ଏପରି ଜଣେ ଦକ୍ଷ ବ୍ୟକ୍ତିତ୍ୱଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି କହିବା କିଛି ଅତ୍ୟୁକ୍ତି ନୁହେଁ।

Related posts