Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର ଦିଲୀପ ପଟ୍ଟନାୟକ; ଏକ ଶ୍ରଦ୍ଧାଞ୍ଜଳି
ବ୍ୟକ୍ତିତ୍ୱ

ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର ଦିଲୀପ ପଟ୍ଟନାୟକ; ଏକ ଶ୍ରଦ୍ଧାଞ୍ଜଳି

December 30, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଅସିତ ମହାନ୍ତି

ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର।

କେବେ ଜାଣିଲି ମୁଁ ଦିଲୀପ ପଟ୍ଟନାୟକଙ୍କୁ ?

ପ୍ରାୟ ୩୭ ବର୍ଷ ତଳର କଥା। ତେଣୁ ମାସଟି ଠିକ୍ ମନେ ନାହିଁ। ତେବେ ୧୯୮୧ ମସିହାର କୈାଣସି ଏକ ମାସ ହେବ।
ସେତେବେଳେ ଭୁବନେଶ୍ୱର ୩ ନମ୍ବର ୟୁନିଟ ଶିଳ୍ପାଞ୍ଚଳର କ୍ବାଲିଟି ପ୍ରେସ୍ କେବଳ ଭୁବନେଶ୍ୱରର ନୁହେଁ, ଓଡ଼ିଶାର ଏକ ସଂଭ୍ରାନ୍ତ ପ୍ରେସ୍। ‘ସମାବେଶ’ ସେଇଠୁ ଛାପା ହେଉଥିଲା ଏବଂ ଭଲ ଛାପା ପାଇଁ ପ୍ରେସ୍ ର ନାଆଁ ଥିଲା। ସରୋଜ ଭଟ୍ଟାଚାର୍ଯ୍ୟ ଥାଆନ୍ତି ପ୍ରେସ୍ ର ମ୍ୟାନେଜର। ଆଉ ଜଣେ ଥାଆନ୍ତି ବିଷ୍ଣୁପଦ ମାଇତି- ଏକଦା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ଘନିଷ୍ଠ। ଜଗଦୀଶ ପାଣିଙ୍କର ବି ବ୍ୟକ୍ତିଗତ ବନ୍ଧୁ। ସେ ଚିଠିପତ୍ର ଆଦିର ଚମତ୍କାର ଡ୍ରାଫ୍ଟ ଇଂରାଜୀରେ କରନ୍ତି। ଦେବେନ୍ ବାବୁ ବୋଲି ବଙ୍ଗାଳି ଟ୍ରେଡଲ୍ ମେସିନମ୍ୟାନ୍, ମୃଦୁଲ୍ ପୁରକାୟସ୍ଥ ବୋଲି ଆଉ ଜଣେ ଫ୍ଲାଟ୍ ବେଡ୍ ମେସିନ୍ ଅପରେଟର, ଓ ବଡୁଆ ସାଙ୍ଗିଆ ର ଜଣେ ଅସମୀୟା-ବଙ୍ଗାଳି ଦପ୍ତରୀ (ବାଇଣ୍ଡର) ଏବଂ ବାକି ମୁଖ୍ୟ ଭାଗ କର୍ମଚାରୀ ଓଡିଆ। ଏମିତି ଗୋଟିଏ ଛୋଟିଆ ପୂର୍ବ-ପୂର୍ବୋତ୍ତର ଭାରତ ସେଠି ସଦା ମହଜୁଦ ଥାଏ।

ସେଇଠି ଆସି ସେଦିନ ପହଞ୍ଚିଥିଲେ ଦିଲୀପ ପଟ୍ଟନାୟକ, ଗୋଟିଏ ଲେଟର୍-ହେଡ୍ ପ୍ୟାଡ୍ ଛାପିବା ପାଇଁ।
ଲେଟର୍ ହେଡ୍ ଟି ଥିଲା ‘ଲୋଟସ୍ ପ୍ରଡକ୍ସନ୍’ ର। ଏମିତିରେ ତ କ୍ବାଲିଟି ପ୍ରେସ୍ ରେ ପ୍ରତିମାସରେ ଶହ ଶହ ଅନୁଷ୍ଠାନର ଲେଟର୍ ହେଡ୍ ପ୍ୟାଡ୍ ଛାପା ହୁଏ। ଯେମିତି ‘ସ୍ବସ୍ତି ହୋଟେଲ୍’ ଓ ‘କଳା ମନ୍ଦିର’ ଆଦି ସେତେବେଳର ପ୍ରାୟ ସବୁ ନୂଆ ନୂଆ ଅନୁଷ୍ଠାନର ପ୍ରାୟ ସବୁ ଛାପା କାମ ବି ସେଠି ହେଉଥିଲା। ବମ୍ବେରୁ ଆସି ଓଡ଼ିଶାରେ ସିଲ୍କ ସ୍କ୍ରିନ୍ ଛାପା ଆରମ୍ଭ କରିଥିବା, ନୀଳମଣି ସେନାପତିଙ୍କ ପୁଅ ବାବୁଲା ସେନାପତି ବି ସେତେବେଳେ ସ୍ବସ୍ତି ହୋଟେଲ୍ ଲେଟର୍ ହେଡ୍ ଡିଜାଇନ୍ କରିବା ସହିତ ତାହାକୁ ସେଇଠି ଛାପାଉଥିଲେ।

ଦିଲୀପବାବୁ ଲୋଟସ୍ ପ୍ରଡକ୍ସନ୍ ର ଲେଟର୍ ହେଡ୍ ଡିଜାଇନ୍ ର ନକ୍ସା ଆଣି ଆସି, ସେଇଠି ତାହା ତିଆରି କରାଇ ଛାପାଇଥିଲେ। କିନ୍ତୁ ଛାପା ହେଲା ମାତ୍ର ଚାରି-ପାଞ୍ଚ ଖଣ୍ଡ। ତାହା ଥିଲା ଛାପା ପ୍ରୁଫ୍। ତାହା ଅନୁମୋଦିତ ହେଲେ ଯାଇ ଚୂଡାନ୍ତ ଛାପା ଛାପାହେବ।
କିନ୍ତୁ ସପ୍ତାହକୁ ଥରେ, ଦୁଇଥର ସେମିତି ବାରମ୍ବାର ଛାପା ପ୍ରୁଫ୍ ଗଲା ଆଉ ଆସିଲା ଏବଂ ପୁଣି ଗଲା। ପ୍ରାୟ ଛଅମାସରୁ ବେଶୀ ବିତିଗଲା। ହେଲେ ଲୋଟସ୍ ପ୍ରଡକ୍ସନ୍ ର ଲେଟର୍‌ ହେଡ୍ ଡିଜାଇନ୍ ଫାଇନାଲ ହୋଇପାରିଲାନି। ଦିଲୀପ ବାବୁ ବାରମ୍ବାର ଆମକୁ ପ୍ରବୋଧନା ଦେଉଥିଲେ- ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ଆପଣଙ୍କର ସବୁ ସମୟ ଓ ପରିଶ୍ରମର ବିଲ୍ ପାଇବେ। କିନ୍ତୁ କାମଟି ଯେମିତି ହେବାକଥା, ସେମିତି ନହେଲେ ହେବ କେମିତି !

ଶେଷସୁଦ୍ଧା ଲେଟର୍ ହେଡ୍ ଟି ଫାଇନାଲ ହୋଇ ଛାପା ହେଲା ଏବଂ ଆମେ ବିଲ୍ ପାଇବା ପରେ ସେ କଥାକୁ ଭୁଲିଗଲୁ।
ତେବେ ସେତେବେଳେ କୈ।ତୂହଳ ବଶତଃ ଏତିକି ଅନ୍ତତଃ ପଚାରି ବୁଝିନେଇଥିଲି ଯେ ଜଣେ କିଏ ନିରଦ ମହାପାତ୍ର ଅଛନ୍ତି। ସିଏ ପୁନାରୁ ସିନେମା ପାଠ ପଢି ଆସିଛନ୍ତି। ଗୋଟିଏ ଓଡ଼ିଆ ସିନେମା କରୁଛନ୍ତି। ତାଙ୍କରି ସେଇ ଅନୁଷ୍ଠାନ ହେଉଛି ଲୋଟସ୍ ପ୍ରଡକ୍ସନ୍।
ପରେ ୧୯୮୪ରେ ‘ମାୟା ମିରିଗ’ ଯେତେବେଳେ ଭାରତବର୍ଷର ଶ୍ରେଷ୍ଠ ଫିଚର୍ ଫିଲ୍ମ ବିବେଚିତ ହୋଇ ଜାତୀୟ ପୁରସ୍କାର ପାଇଲା, ସେତେବେଳେ ଯାଇ ବୁଝିଲି ଯେ ଲେଟର୍ ହେଡ୍ ପ୍ୟାଡ୍ ଛାପା ବେଳର ସେଇ ନିଷ୍ଠା କେମିତି ସେଇ ଚଳଚ୍ଚିତ୍ରକୁ ବି ସଫଳ କରିଥିଲା। ଦିଲୀପ ବାବୁ ଥିଲେ ‘ମାୟା ମିରିଗ’ର ସହକାରୀ ମୁଖ୍ୟ ନିର୍ଦ୍ଦେଶକ।

ପରେ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତର ବିଖ୍ୟାତ ଶିଳ୍ପୀ ଓ ସାଧିକା ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର କଲେ ଓ ତାହା ମଧ୍ୟ ଜାତୀୟ ପୁରସ୍କାର ପାଇଲା। ଦକ୍ଷ ଓ ସୃଜନଶୀଳ ବନ୍ଧୁ ପ୍ରଶାନ୍ତନୁ ଥିଲେ ତା’ର ସିନେମାଟୋଗ୍ରାଫର। ସେଇ ଜୀବନୀ ସମ୍ବଳିତ, ପ୍ରାମାଣିକ ଚଳଚ୍ଚିତ୍ରର ନାଆଁ ଥିଲା ‘ନୀଳମାଧବ’। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ନୀଳମାଧବ’ ହେଉଛି ସୁନନ୍ଦା ପଟ୍ଟନାୟକ ସୃଷ୍ଟି କରିଥିବା ଗୋଟିଏ ରାଗ।

‘ପ୍ରଜାତନ୍ତ୍ର’ରେ ଥିବାବେଳେ ଥରେ ସୁନନ୍ଦା ପଟ୍ଟନାୟକ ଓଡ଼ିଶା ଆସି ପୁରୀରେ ରହୁଥିଲେ। ସେତେବେଳେ ସେ ପୁରୀରେ ଗୋଟିଏ ସଂଗୀତ ଅନୁଷ୍ଠାନ ଗଢୁଥିଲେ। ମୁଁ ପୁରୀ ଯାଇ, ସେଠାରେ ତାଙ୍କୁ ଭେଟି, ତାଙ୍କର ଏକ ସାକ୍ଷାତକାର କରିଥିଲି। ତାହା ସେତେବେଳେ ‘ପ୍ରଜାତନ୍ତ୍ର’ରେ ଛାପା ହୋଇଥିଲା। ପରେ ତାହାର ଆଧାରରେ ‘ସୁନନ୍ଦା- ସଂଗୀତର ସରସ୍ବତୀ’ ଶୀର୍ଷକରେ ଗୋଟିଏ ବର୍ଣ୍ଣନାତ୍ମକ ଆଲେଖ୍ୟ ବି ମୁଁ ପ୍ରସ୍ତୁତ କରିଥିଲି। ତାଙ୍କର ପାରିବାରିକ ସଂପର୍କୀୟ, କବି ଅମରେଶ ପଟ୍ଟନାୟକ ‘ନବଲିପି’ ପତ୍ରିକାର ସଂପାଦନା ଦାୟିତ୍ଵରେ ଥିବାବେଳେ ତାହାକୁ ସେଥିରେ ଛାପିଥିଲେ। ପରେ ସଂଗ୍ରାମ ଜେନା ତାହାକୁ ‘ନିଶାନ୍ତ’ରେ ପ୍ରକାଶ କରିବା ସହ ‘ସ୍ମୃତିସତ୍ତ୍ବା’ ପୁସ୍ତକରେ ସଂକଳିତ କରିଛନ୍ତି। ମୋ ‘ଜୀବନ ଓ ସୃଜନ’ ପୁସ୍ତକରେ ମଧ୍ୟ ତାହା ସଂକଳିତ ହୋଇଛି।

ସୁନନ୍ଦା ପଟ୍ଟନାୟକଙ୍କ ପ୍ରତି ମୋର ଭକ୍ତି ଓ ଅନୁରକ୍ତି ଯୋଗୁଁ ଦିଲୀପ ବାବୁଙ୍କ ପ୍ରତି ମୋର ଶ୍ରଦ୍ଧା ଓ ସମ୍ମାନ ବଢ଼ିଯାଇଥିଲା। ତାଙ୍କ ସହ କଥା ହୋଇ ଜାଣିଥିଲି ଯେ ‘ନୀଳମାଧବ’ରେ ସୁଟିଂର ଯେତିକି ଅଂଶ ବ୍ୟବହାର ହୋଇଛି, ତା’ ଅପେକ୍ଷା ବହୁ ଅଧିକ କଥା ଓ ତଥ୍ୟ ବ୍ୟବହାର ହୋଇନଥିବା ଅଂଶରେ ଅଛି। ସେ ତାହାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି ମୋତେ କହିଥିଲେ।

କିନ୍ତୁ କିଛି ବର୍ଷ ବିତିଯିବା ପରେ ମନେହେଲା, ସେଇ ଚଳଚ୍ଚିତ୍ରଟି ବୋଧହୁଏ ଆଉ ହେବନାହିଁ। ସେତେବେଳେ ତାଙ୍କୁ କହିଥିଲି, ସେହିସବୁ ତଥ୍ୟକୁ ନେଇ ଓ ତା’ ସହ ବାକି ତଥ୍ୟ ମିଶାଇ ସୁନନ୍ଦା ପଟ୍ଟନାୟକଙ୍କର ଗୋଟିଏ ପୂର୍ଣ୍ଣାଙ୍ଗ ଜୀବନୀ ବା ଆତ୍ମଜୀବନୀ ପୁସ୍ତକ ପ୍ରସ୍ତୁତ କରାଯାଉ ! ସେ ଚାହିଁଲେ ମୁଁ ସେଥିରେ ସହଯୋଗ କରିବି ବୋଲି ମଧ୍ୟ ତାଙ୍କୁ କହିଥିଲି। ସୁନନ୍ଦା ପଟ୍ଟନାୟକଙ୍କ ସହ ଅତି ଘନିଷ୍ଠ ସଂପର୍କ ଥିବା, ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଗୈାରାଙ୍ଗ ଚରଣ ଦାସଙ୍କୁ ମଧ୍ୟ ଏ ପ୍ରସ୍ତାବ ଦେଇଛି। କିନ୍ତୁ ଆଜି ଦିଲୀପ ବାବୁ ଲୋକାନ୍ତରିତ ହୋଇଗଲେ ସିନା, ତାହା ସମ୍ଭବ ହୋଇନାହିଁ। କେବେ ସମ୍ଭବ ହେବ କି ନା ଜଣାନାହିଁ। ସେ ତାଙ୍କ ଶେଷ ଜୀବନରେ ଯେଉଁ ଚଳଚ୍ଚିତ୍ରଟି ନିର୍ମାଣ କରିବାକୁ ଚାହୁଁଥିଲେ, ତା’ର ନାଆଁ ଥିଲା ‘ଚନ୍ଦ୍ରଗ୍ରହଣ’। ଶେଷକୁ କିନ୍ତୁ ତାଙ୍କର ସ୍ବପ୍ନରେ ଗ୍ରହଣ ଲାଗିଗଲା। ମୃତ୍ୟୁ ଦ୍ବାରା ସେ ଗ୍ରସ୍ତ ହୋଇଗଲେ।

ଏଇଥି ପାଇଁ ତ ତାଙ୍କ ବିୟୋଗ ସମ୍ବାଦ ଶୁଣି ମୋ ମନକୁ ଆସିଥିଲା, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର !

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.