ପିନାକୀ ଦେ
ମୃଣାଳ ସେନ ଏବେ ଆମ ପାଇଁ ଅନୁପଲବ୍ଧ । ଅଣଲେଉଟା । ତାଙ୍କ ଯିବାରେ ବାସ୍ତବତା ଧର୍ମୀ ଚିତ୍ର ନିର୍ମାଣର ଅତୁଟ ପ୍ରୟାସ ଯେମିତି ଖାସ୍ ଫିକା ପଡ଼ିଗଲା । କାଳୋତ୍ତୀର୍ଣ୍ଣ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ସତେଇଶିଟି । ଯାହା ମନେହୁଏଏ ଗୋଟିଏ ସୂତ୍ରରେ ରେ ଯେମିତି ବନ୍ଧା ହୋଇଥିଲା ସେଗୁଡ଼ିକ । ଅତି ପିଲାଦିନର ସାଥି ଆକବରର ଅପସୃୟମାନ ସ୍ମୃତି ଓ ୧୯୪୩ ମସିହାର ଦୁର୍ଭିକ୍ଷର ଆତଙ୍କ ଯେମିତି ରାମ୍ପୁଡ଼ି ଚାଲିଥିଲା, ତାଙ୍କର ପ୍ରତ୍ୟେକ ସୃଷ୍ଟିର ଅବୟବକୁ । ମା ଫେନା ଦାଓ (ଟିକେ ତୋରାଣି ଦେ’ ମା’) ଡାକ, ସେଇ ଦୁର୍ଭିକ୍ଷ ସମୟର, ଯେମିତି ବାରମ୍ବାର ଅନୁରଣିତ ହେଉଥାଏ ତାଙ୍କର ଦୃଶ୍ୟ ସମୁହରେ ।
ପିଲାଦିନେ, ଅନ୍ୟମାନଙ୍କ ପରି ଆକବର ଆସି ବସେ , ତାଙ୍କ ସାଙ୍ଗ ମେଳରେ । ଅତି ଗରିବ ଘରର ପିଲା ସେ, ତା’ ବେଶପୋଷାକରେ ଭିନ୍ନତା ଦେଖ ଅନ୍ୟ ସାଙ୍ଗସାଥୀ ଟାହିଟାପରା କରନ୍ତି । ତା’ ଧର୍ମ ଭିନ୍ନ । ହେଲେ ଆଚରଣ ଅତି ସରଳ । ମୃଣାଳଙ୍କର ଅନ୍ତରଙ୍ଗ ବନ୍ଧୁ ବନିଯାଏ ସେ । ଖୁବ୍ ଶୀଘ୍ର ତାଙ୍କ ଘରର ସଦସ୍ୟ ପାଲଟେ । ଏଇ ପିଲାଟି ପୁଣି ହଠାତ୍ ଦିନେ ଟ୍ରାମ୍ ଚାପାରେ ଆରପାରିକୁ ଚାଲିଯାଏ । ପରବର୍ତ୍ତୀ ସମୟରେ ମୃଣାଳ ସେନ ତାଙ୍କର ” ଚାର୍ଲି ଚାର୍ପଲିନ” ବହିଟିକୁ ଉତ୍ସର୍ଗ କରିଥିଲେ , ଏଇ ଆକବର୍କୁ । ଆଶାର ଭବଘୁରେ ସାଥୀ ବୋଲି । ମୋ ବାରବୁଲା ଜୀବନର ଆହା।
ଏଇ ସରଳପଣ ଜୀବନର ପ୍ରାରମ୍ଭରେ ଧରାପଡ଼େ ଯେମିତି ‘ଭୁବନ୍ସୋମ୍’ ସିନେମାରେ। ଜଣେ ଅମଲା ଅଫିସର୍ ନିତ୍ୟନିୟତ ଜୀବନ ଛାଡ଼ି ଚାଲିଆସେ ଏକ ଗ୍ରାମାଂଚଳକୁ । ଯେଉଁଠି ତାକୁ ସ୍ୱଳ୍ପ ବୟସୀ କିଶୋରୀଟିଏ ଶିଖାଏ ପକ୍ଷୀ ଶିକାର୍ । ଶିହରିତ ହୁଏ ଜୀବନର ଅନ୍ତରଂଗପଣ । କୁଢ କୁଢ ଫାଇଲ୍ ଭିତରେ (ତାଂକର Calcutta Triology ମଧ୍ୟରୁ ଅନ୍ୟତମ) ପ୍ରତିବାଦର ସ୍ବର ପୁଣି ଧରାପଡ଼େ , ଯେତେବେଳେ ମୁଖ୍ୟ ନାୟକ ସାରା କଲିକତା ସହରେର ଲନ୍ଦ୍ରିର ହରତାଳ ଯୋଗୁଁ ସୁଟ୍ଟିଏ ପିନ୍ଧିପାରେନା । ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହୁଏ ଧୋତି ପଂଜାବୀ ପିନ୍ଧି । ବାଟରେ ଦୋକାନରେ ପ୍ରଦର୍ଶିତ ମ୍ୟାନିକୁଇନ୍କୁ ଗୋଟେ ଟେକା ଫୋପାଡ଼ି ନିଜ ଅସହାୟତାକୁ ସେ ବ୍ୟକ୍ତ କରେ। ’ଖାରିଜ୍’ର ଚାକର ପିଲାଟିର ଅପମୃତ୍ୟରେ ମଧ୍ୟବିତ୍ତ ପରିବାରର କ୍ଷୁଣ୍ଣ ହୁଏ ମୋରାଲିଟି, ’ଏକ୍ଦିନ୍ ପ୍ରତିଦିନ୍’ର ଘରର ଝିଅ ରାତିରେ ନ ଫେରିବାକୁ କେମିତି ଚହଲିଯାଏ ସମସ୍ତ moral uprightness । ’ଅନ୍ତରୀଣ’ ଛବିରେ ଦୁଇଟି ସଂପର୍କର ଖୁଲାସା ହୁଏ ଫୋନ୍ ଓ କଣ୍ଠଧ୍ବନି ମାଧ୍ୟମରେ । ମୃଣାଳ ସେନ୍ଙ୍କ ’ମାଟିର ମଣିଷ’ ବୋଧହୁଏ ଓଡ଼ିଆ ଭାଷାରେ ନିର୍ମିତ ସମସ୍ତ ଚଳଚ୍ଚିତ୍ରଠାରୁ ସବୁଠାରୁ ଉତ୍କୃଷ୍ଟ ବୋଲି ଏଇ ଲେଖକର ଦୃଢ ଧାରଣା ।
ଅଭିନେତ୍ରୀ ଗୀତା ସୋମଙ୍କୁ ବିବାହ ପୂର୍ବରୁ ଗଙ୍ଗା ଆରପାରିରେ ଉତ୍ତରପାଡ଼ାରେ ବୁଲେଇ ନିଅନ୍ତି । ମୃଣାଳସେନ୍ ମାକର୍ସ୍ବାଦରେ ବିଶ୍ଵାସ ରଖୁଥିଲେ। କିନ୍ତୁ କମ୍ୟୁନିଷ୍ଟ୍ପାର୍ଟିର ସଦସ୍ୟତା ଗ୍ରହଣ କରିନଥିଲେ । ଗୀତାଙ୍କୁ ବରାବର କମ୍ୟୁନିଜମ୍ ଉପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ସେଦିନ ହାତରେ ଥାଏ ଗାଲଚାରଙ୍କର ’ଦି କେସ୍ ଫର୍ କମ୍ୟୁନିଜମ୍’ । ବହିଟି ଉପହାର ଦେଲେ ଗୀତାଙ୍କୁ । ଭାବିଲେ ପ୍ରଥମେ ଚୁମ୍ବନ ଦେବେ ଓ ତାପରେ ବହିଟିକୁ ଉପହାର ଦେବେ। ଚୁମାଟି କିନ୍ତୁ ଭୁଲ୍ବଶତଃ ଓଠରେ ନାଲାଗି, ଲାଗିଲା ନାକରେ। । ଆଉ ମୃଣାଳଂଙ୍କ ନର୍ଭସ ହାତରୁ ବହିଟି ଖସିପଡିଲା ପାଖରେ ଥିବା ପୋଖରୀରେ। ପ୍ରେମ ଓ ସାମ୍ୟବାଦକୁ ନେଇ ମୃଣାଳ ସେନଙ୍କ ଜୀବନର ଏହି ଚମତ୍କାର ଘଟଣାଟି ଗୋଟେ ମେଟାଫର ପରି ଲାଗୁନି କି?
ଗୀତା ସେନ୍, ତାଙ୍କର ପ୍ରଖ୍ୟାତ ଅଭିନେତ୍ରୀ ସ୍ତ୍ରୀଙ୍କର ପରଲୋକ ହୁଏ ଗତବର୍ଷ । ଦୁଇ ଜୀବନ୍ତ ଚରିତ୍ର ଆମ ଗହଣରେ ଆଜି ଆଉ ନାହାନ୍ତି ।
ପ୍ରୟାତ ହେଲେ ବି ମୃଣାଳ ସେନ୍ ଛାଡ଼ିଯାଇଛନ୍ତି ଏମିତି ଏକ ଭଣ୍ଡାର, ଯାହା ଚିରକାଳ ମନେ ପକଉଥିବ ଉପେକ୍ଷିତ ଓ ଅବାଞ୍ଛିତ ମଣିଷର କଳାତ୍ମକ ପହରାଦାରକୁ ।
(ପିନାକୀ ଦେ, ସିନେମା ଓ ଥିଏଟର କୁ ନେଇ ଦୀର୍ଘ ବର୍ଷ ଧରି ବୁଡି ରହିଛନ୍ତି ଅଧ୍ୟୟନରେ ।)