23 ବିଦ୍ରୋହୀ ନେତାଙ୍କ ସହ ସୋନିଆଙ୍କ ରୁଦ୍ଧ ଦ୍ବାର ବୈଠକ : ଜାଣନ୍ତୁ କ’ଣ ହେଲା ଆଲୋଚନା

Published: Dec 19, 2020, 6:33 pm IST

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି 23 ଜଣ ବିଦ୍ରୋହୀ ନେତାଙ୍କୁ ଭେଟିଛନ୍ତି । ଚାରି ମାସ ପୂର୍ବରୁ ଦଳର ସଭାପତି ପରିବର୍ତ୍ତନ ପାଇଁ ଏହି ନେତା ମାନେ ସୋନିଆଙ୍କୁ ଚିଠି ଲେଖିଥିଲେ । 23 ନେତାଙ୍କ ସହିତ ବୈଠକ ପରେ ଆଗାମୀ 10ଦିନ ମଧ୍ୟରେ ନୂତନ ସଭାପତି ଚୟନ କରାଯିବ ବୋଲି ସୋନିଆ ସୂଚନା ଦେଇଛନ୍ତି । ଏହ ବୈଠକରେ ସୋନିଆଙ୍କ ବ୍ୟତୀତ ରାହୁଲ୍‌ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅଶୋକ ଗେହେଲଟ୍‌, ଆନନ୍ଦ ଶର୍ମା, ବିଏସ୍‌ହୁଡ୍ଡା, ଅମ୍ବିକା ସୋନି ଏବଂ ପି. ଚିଦାରମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବା ସହିତ ବର୍ତ୍ତମାନ ପରସ୍ଥିତିରେ ଦଳ କିଭଳି ମୁକାବିଲା କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ପ୍ରକାଶ କରିଛନ୍ତି । ଆସନ୍ତା 10 ଦିନ ମଧ୍ୟରେ କଂଗ୍ରେସର ନୂତନ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, 99 ପ୍ରତିଶତ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ମୁଖପାତ୍ର ରଣଦୀପ ସୁର୍ଜେୱାଲା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, 2021 ମସିହାରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି । କଂଗ୍ରେସ ମଧ୍ୟ ଏହି ସମସ୍ତ ନିର୍ବାଚନକୁ ଆଖି ଆଗରେ ରଖି  ନିଜ ଦଳର ସାଙ୍ଗଠନିକ ସ୍ଥିତି ଦୃଢ କରିବାରେ ତତ୍ପରତା ପ୍ରକାଶ କରିଛି ।

Related posts