ଢେଙ୍କାନାଳ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ସ୍ବାଧୀନତା ଆନ୍ଦୋଳନରେ ରହିଥିବା ଅବଦାନ ଅତୁଳନୀୟ ଏବଂ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ କହିଛନ୍ତି । ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଭାଗିରଥି ସାଗର କୁଳରେ ଥିବା ଶିଶୁ ଉଦ୍ୟାନରେ ଆଜି ନେତାଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଂହଦେଓ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଏହି ଅବସରରେ ସେ କହିଥିଲେ ଯେ ରାଷ୍ଟ୍ର ନେତାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଆବଶ୍ୟକ । ଫୋରମ ପକ୍ଷରୁ ଏହି ମର୍ମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ପଠାଇବାକୁ ମତ ଦେଇଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଜୀବନୀ ଆଲୋଚନା କରିଥିଲେ । ଏହି ଦୁଇ ମହାନ ସଂଗ୍ରମୀ ଯୁଗେଯୁଗେ ଦେଶବାସୀଙ୍କୁ ଦେଶ ପ୍ରେମରେ ଉଦବୁଦ୍ଧ କରିବେ ବୋଲି ସେ କହିଥିଲେ ।