ସବୁ ଛାମୁଆ ନେତାଙ୍କ ସହ ଜିଲ୍ଲା କଂଗ୍ରେସ ପାଳିଲା ଗାନ୍ଧିଜୀଙ୍କ ତିରୋଧାନ ଦିବସ

Published: Jan 31, 2021, 11:01 am IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ପାଳିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକ ଜିଲ୍ଲା ସଭାପତି ଦାୟିତ୍ୱ ନେବା ପରେ ଜିଲ୍ଲାରେ ଏହା ପ୍ରଥମ ମହାସମାବେଶ। ରାଜ୍ୟର ବଡ଼ ବଡ଼ ଛାମୁଆ ତଥା ଟାଣୁଆ ନେତାମାନେ ଆଜି ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁର ରାଉତରାୟ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡ଼ୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ପ୍ରମୁଖ ମଂଚାସୀନ ରହିଥିଲେ। ନବୀନ ପଟ୍ଟନାୟକ ଏଭଳି ଏକ ବଡ଼ ସମାବେଶକୁ ଭଣ୍ଡୁର କରିବାକୁ ସମସ୍ତ ଚେଷ୍ଟା କରିଥିଲେ ମଧ୍ୟ ତାହା ଆୟୋଜିତ ହୋଇଥିବାରୁ ପ୍ରଭାରୀ ଚେଲ୍ଲା କୁମାର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଚେଲ୍ଲା କୁମାର କହିଥିଲେ ବିଜେଡ଼ି ଶାସନ ସମୟରେ ରାଜ୍ୟରେ ତଥା ଜିଲ୍ଲାରେ ତିଳେ ବି ଉନ୍ନତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଦେଇଥିବା କୌଣସି ପ୍ରତିଶ୍ରୁତି ବି ପାଳନ କରିନାହାନ୍ତି। କଂଗ୍ରେସ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିଥିଲା, ଟାଟାର ଶିଳାନ୍ୟାସ କରିଥିଲା। ସରକାର ଶ୍ରମିକଙ୍କୁ ରୋଜଗାର ଦେଇନପାରିବାରୁ ଜିଲ୍ଲାର ବହୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସେହିଭଳି ବିଜେପି ସବୁ ଅଭିଯୋଗକୁ ସିବିଆଇ ତଦନ୍ତ କରିବାକୁ କହୁଥିବାବେଳେ ମୋ ସରକାରର କରୁଥିବା ଦୁର୍ନିତିକୁ ତଦନ୍ତ କରୁ୍‌ନି କାହିଁକି ବୋଲି ପ୍ରଶ୍ନ କରିଥିଲେ। ୨୦୨୪ରେ କଂଗ୍ରେସ ନିଶ୍ଚିତ ଭାବେ ରାଜ୍ୟରେ ସରକାର ଗଠନ କରିବ ବୋଲି ଦୃଢ଼ତାର ସହ କହିଥିଲେ।

ବରିଷ୍ଠ ନେତା ଶରତ ପଟ୍ଟନାୟକ କହିଥିଲେ ବିଜେଡ଼ି-ବିଜେପି ଦୁଇଭାଇ। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ୨୧ ବର୍ଷରେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ କ’ଣ ଦେଇଛନ୍ତି ବୋଲି ଜୟପୁର ବିଧାୟକ ତାରାବାହିନୀପତି ପ୍ରଶ୍ନ କରିଥିଲେ। ଏହାସହ ବିଜେଡ଼ିର ନେତା ମଦ ମାଫିଆଙ୍କଠାରୁ ଟଙ୍କା ନେଇ ଜେଲ୍‌ରେ ଅଛନ୍ତି। ଏଠି ମହିଳା, ନାବାଳିକା ସୁରକ୍ଷିତ ନାହାନ୍ତି। ରମେଶ ଜେନାଙ୍କ ନାମରେ ମାମଲା ରୁଜୁ ହେଲେ ଓଡ଼ିଶା ବନ୍ଦ ପାଳନ ସହ ବିଧାନସଭାରେ ନିଆଁ ଜଳିବ ବୋଲି ତାରା କହିଥିଲେ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଂଜାମର ରେଲୱେ କାରଖାନାକୁ ନେଇ ପ୍ରଶ୍ନ କରିବା ସହ ଯେଉଁମାନେ ଦଳ ଛାଡ଼ି ଚାଲିଯାଇଛନ୍ତି ପୁଣି ଥରେ ସେମାନେ ଦଳକୁ ଫେରିବାକୁ ସେ ଆହ୍ୱାନ ଦେଇଥିଲେ। ମହାତ୍ମାଗାନ୍ଧୀ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ହୋଇଥିବାବେଳେ ବ୍ରହ୍ମପୁର ଆସିବାର ସ୍ମରଣରେ ଏହି ବୈଠକ କରାଯାଇଛି। ରାଜ୍ୟରେ ୩ ବର୍ଷରେ ୨୪ ହଜାର ମହିଳା ନିର୍ଯ୍ୟାତିତ ହେବା ସହ ୫ହଜାର ପିଲା ଚୋରି ହୋଇଛି। ଏହାସହ ତୈଳଦର ଯଦି ଆଗାମୀ ୧୫ ତାରିଖ ମଧ୍ୟରେ ହ୍ରାସ ନହୁଏ ତେବେ ଓଡ଼ିଶା ବନ୍ଦ ହେବ ବୋଲି ମଞ୍ଚରେ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ।

ଡ଼ରିକି ମରିବା ନାହିଁ, ଲଢ଼ିକି ମରିବା ବୋଲି କହିଥିଲେ ବିଧାୟକ ରମେଶ ଜେନା। ତେବେ ବ୍ରହ୍ମପୁରଠାରେ ଆୟୋଜିତ ଗଂଜାମ ଜିଲ୍ଲା କଂଗ୍ରେସ କମିଟିର ଏହି ବୈଠକରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ସାମିଲ ଥିଲେ।

Related posts