ରଣପୁର: ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା, ମତଦାତା ତାଲିକାର ସ୍ୱଚ୍ଛତା ଏବଂ ଜାତୀୟ ଏକତାର ବାର୍ତ୍ତା ନେଇ ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରସ୍ଥିତ ଅପସରା କଲ୍ୟାଣ ମଣ୍ଡପ ଠାରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ କର୍ମୀ, ବୁଦ୍ଧିଜୀବୀ ଓ ସମର୍ଥକ ଯୋଗଦେଇ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ମହେଶ ଚନ୍ଦ୍ର ଶର୍ମା ମୁଖ୍ୟ ଅତିଥି ଏବଂ ସୁନୀତା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ରାଜ୍ୟ ସଂଯୋଜକ ସୁଦୀପ୍ତ ରାୟ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଅଭିଯାନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୨ରୁ ନଭେମ୍ବର ୫, ୨୦୨୬ ପର୍ଯ୍ୟନ୍ତ ଦେଶବ୍ୟାପୀ ଏହି ଅଭିଯାନ ଚାଲୁଥିବା ସୂଚନା ଦିଆଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା, SIR ମାଧ୍ୟମରେ ତ୍ରୁଟିମୁକ୍ତ ମତଦାତା ତାଲିକା ପ୍ରସ୍ତୁତି, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା।
ଅଭିଯାନରେ ଅନୁପ୍ରବେଶ ବିରୋଧରେ ସଚେତନତା, ସ୍ୱଚ୍ଛ ମତଦାତା ତାଲିକା ପାଇଁ ଜନଭାଗିଦାରୀ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ଭଳି ବିଷୟ ଉପରେ ଆଲୋକପାତ କରାଯାଇଥିଲା। ଏଥିସହ ଜରୁରୀକାଳୀନ ପରିସ୍ଥିତି, ଗଣମାଧ୍ୟମ ଉପରେ ସେନ୍ସରସିପ୍ ଏବଂ ବିରୋଧୀ ଦଳର ରାଜନୈତିକ ଆଭିମୁଖ୍ୟକୁ ନେଇ ବିଜେପି ପକ୍ଷରୁ ଉଠାଯାଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ମୁଖ୍ୟବକ୍ତା ଓ ଅନ୍ୟ ଅତିଥିମାନେ ରାଷ୍ଟ୍ରୀୟ ଏକତା, ସାମ୍ବିଧାନିକ ମୂଲ୍ୟବୋଧ, ସାମାଜିକ ସଦ୍ଭାବ ଓ ନାଗରିକ କର୍ତ୍ତବ୍ୟର ଗୁରୁତ୍ୱ ବୁଝାଇବା ସହ ପ୍ରତିରକ୍ଷା, ବିଜ୍ଞାନ, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଓ ଜନକଲ୍ୟାଣ କ୍ଷେତ୍ରରେ ଦେଶର ଉପଲବ୍ଧି ଉପରେ ମତ ରଖିଥିଲେ। ଉପସ୍ଥିତ ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଅତିଥିମାନେ ରଖିଥିଲେ।
ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ଯେ, ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ପରମ କର୍ତ୍ତବ୍ୟ। ଦେଶର ଗଣତାନ୍ତ୍ରିକ ପରମ୍ପରା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ସମ୍ମାନ ଦେବା ସହ ଜାତୀୟ ଏକତା ବଜାୟ ରଖିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ।
ସୂଚନାଯୋଗ୍ୟ, ଦେଶର ୧୪୭ଟି ନିର୍ବାଚନମଣ୍ଡଳୀରେ ନଭେମ୍ବର ୫ ତାରିଖ ସୁଦ୍ଧା ଏହି ଅଭିଯାନ ସମ୍ପୂର୍ଣ୍ଣ କରିବାକୁ ଯୋଜନା ରହିଛି। ଚାନ୍ଦପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରଣପୁର ଅଞ୍ଚଳରେ ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଦଳୀୟ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।


