ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ କିଛିଦିନ ତଳେ ଆଙ୍କୁଲି ଅଂଚଳରେ ଏକ ନକଲି ମଦ ଦୋକାନ ଉପରେ ଚଢ଼ାଉ କରି ବହୁ ପରିମାଣରେ ନକଲି ମଦ ସହ ମେସିନ୍ ଜବତ ହୋଇଥିବାବେଳେ ଆଜି ପୁଣି ବଡ଼ବଜାର ଅଂଚଳରୁ ଅନ୍ୟ ଏକ ନକଲି ମଦ ତିଆରି କାରଖାନା ଠାବ ହୋଇଛି।
ଘଟଣାରୁ ପ୍ରକାଶ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ତୃପ୍ତିନଗର ଦ୍ୱିତୀୟ ଗଳିରେ ଏକ ଭଡ଼ାଘରେ ନକଲି ମଦ କାରଖାନା ଚାଲିଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଆଜି ଚଢ଼ାଉ କରିଥିଲା। ଚଢ଼ାଉ ପରେ ସେଠାରେ ଥିବା ବିପୁଳ ପରିମାଣର ଯଥା ୫୦ ପେଟି ପେକିଂ ହୋଇଥିବା ନକଲି ମଦ, ସିଲ୍, ଠିପି, ବୋତଲ, ଲକ୍ଷାଧିକ ଟଙ୍କା ମେସିନ୍କୁ ଅବକାରୀ ବିଭାଗ ଜବତ କରିଛି।
ଏହି ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୫ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ସୁକୁଣ୍ଡା ଆଦିତ୍ୟ ବିହାରର ରବିନ୍ଦ୍ର ପାଣିଗ୍ରାହୀ (୪୫), କାଳୁପାତ୍ର ସାହିର ନାରାୟଣ ବିଷୋୟୀ, ଶାନ୍ତିନଗର ତୃତୀୟ ଗଳିର ଏମ୍. ଆଶିଷ କୁମାର ରାଓ (୨୮), ବେଗୁନିଆପଡ଼ା ଥାନା କେ. ବରିଡ଼ା ଗ୍ରାମର ଶ୍ରୀକାନ୍ତ କୁମାର ବେହେରା (୩୭) ଏବଂ ବଡ଼ବଜାର ଗଣେଶ ନଗର ଅଂଚଳର ସନ୍ତୋଷ କୁମାର ସ୍ୱାଇଁ (୪୮)।
ଏହିମାନେ କଲିକତା ଅଂଚଳରୁ କାଚବୋତଲ, ଠିପି, ସିଲ୍, ମେସିନ୍ ଆଣି ଏଠାରେ କ୍ୟାମିକେଲ୍ ମିଶାଇ ନକଲି ମଦ ପ୍ରସ୍ତୁତ କରିବା ପରେ ବିଭିନ୍ନ ଗ୍ରାମାଞ୍ଚଳକୁ ପ୍ରେରଣ କରୁଥିଲେ। ବହୁଦିନ ହେଲା ଏହି କାରଖାନା ଚାଲିଥିବାବେଳେ ଆଜି ଧରାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଜଣାପଡ଼ିଛି।