ସମ୍ବଲପୁର: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବୁର୍ଲାସ୍ଥିତ ଭିସୁଟକୁ ସଟ୍ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ। ଏହି କ୍ରମରେ ଭିସୁଟର ୧୧ଟି ହଷ୍ଟେଲକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ପୁଲହ ହଷ୍ଟେଲର ପାଶ୍ୱର୍ବର୍ତି ଅଂଚଳକୁ ବଫର୍ ଜୋନ୍ ଘୋଷଣା କରାଯାଇଛି। ଏସବୁ ଅଂଚଳରେ ଯାନବାହନ ଚଳାଚଳ ଓ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରୀ କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତି ପ୍ରଶାସନିକ ଅନୁମତି ନେବା ଅପରିହାର୍ଯ୍ୟ କରାଯାଇଛି।
ସେହିପରି କଂଟେନମେଂଟ ଓ ବଫର୍ ଜୋନ୍ରେ ସମସ୍ତ ଦୋକାନ ବନ୍ଦ ରହିବ। ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ଉଭୟ ଜୋନ୍ରେ ଜରୁରୀ ସାମଗ୍ରୀ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଯୋଗାଣ ହେବ।
ଅନ୍ୟପକ୍ଷରେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି। ଏଥି ସହିତ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି।
ପ୍ରକାଶ ଥାଉ କି, ଭିସୁଟ୍ ର ମୋଟ୍ ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଶୁକ୍ରବାର ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।