ଭୁବନେଶ୍ବର, ଅଶ୍ବିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେତେକ ଲୋକ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଶୁଭେଚ୍ଛା କରୁଛନ୍ତି। ସୌମ୍ୟବାବୁଙ୍କୁ ଫୋନ କରି କହୁଛନ୍ତି, ଆପଣ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା।
ସୌମ୍ୟବାବୁ ଏପରି ଫୋନ କଲ ପାଇ ସେଦିନ ଆଉ ସମ୍ଭାଳିପାରିଲେ ନାହିଁ। ସମସ୍ତଙ୍କୁ ମୁଁ ଅଶ୍ବିନୀ ବୈଷ୍ଣବ ନୁହେଁ ବୋଲି କହି କହି ବ୍ୟସ୍ତ ହେଲେ। ସାଧାରଣତଃ ଯେ କେହି ମନ୍ତ୍ରୀ ହେଲେ ଚିହ୍ନା ଅଚିହ୍ନା ଲୋକେ ଶୁଭେଚ୍ଛା ଦେଇଥାନ୍ତି। ହେଲେ ଲୋକେ ଅଶ୍ବିନୀବାବୁଙ୍କ ଶୁଭେଚ୍ଛା ନ କରି ତାଙ୍କୁ ଶୁଭେଚ୍ଛା କରିବାକୁ ନେଇ ଖୋଦ ସୌମ୍ୟବାବୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ।
ଏହିପରି ବାରମ୍ବାର ଶୁଭେଚ୍ଛା କଲ ଆସିବା ପରେ ସୌମ୍ୟବାବୁ ନିଜେ ମଧ୍ୟ ଏହା ପଛର କାରଣ କଣ ଜାଣିବା ପାଇଁ ଇଚ୍ଛୁକ ହେଲେ। ଯେଉଁମାନେ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଚାରିଲେ ମୋତେ କାହିଁକି ଫୋନ କରୁଛ। ଏହାର ଉତ୍ତରେ ସୌମ୍ୟବାବୁ ଯାହା ଶୁଣିଲେ ସେଥିରେ ତାଙ୍କୁ ମୁଣ୍ଡ ଖରାପ ହୋଇ ଯାଇଥିଲା।
ଘଟଣାଟି ହେଲା ଯେ, ରାଜ୍ୟ ସରକାରଙ୍କ ଡାଇରୀରେ ସମସ୍ତ ବିଧାୟକ ତଥା ସାଂସାଦଙ୍କ ଠିକଣା ସହିତ ଫୋନ ନମ୍ବର ଛପାଯାଇଥାଏ। ଏଥର ଡାଇରୀରେ ପୂର୍ବରୁ ରାଜ୍ୟସଭା ସାଂସଦ ଥିବା ସୌମ୍ୟବାବୁଙ୍କ ନାମକୁ କାଟି ଅଶ୍ବିନୀ ବୈଷ୍ଣବଙ୍କ ନାମ ଛପାଯାଇଛି। ହେଲେ ଦୁର୍ଭାଗ୍ୟବସତଃ ନାମ ବଦଳିଛି ସିନା ସୌମ୍ୟବାବୁଙ୍କ ଠିକଣା ଓ ଫୋନ ନମ୍ବର ବଦଳା ଯାଇ ନାହିଁ। ଫଳରେ ଡାଇରୀରୁ ଯେଉଁମାନେ ଅଶ୍ବିନୀବାବୁଙ୍କ ନମ୍ବର ଖୋଜି ପାଇଛନ୍ତି ସେମାନେ ସୌମ୍ୟବାବୁଙ୍କ ନମ୍ବରକୁ କଲ କରିଛନ୍ତି।
ତେବେ ଏହି ଘଟଣାଟି ଆଜି ଖୋଦ ସୌମ୍ୟବାବୁ ତାଙ୍କର ‘ସମ୍ବାଦ’ ଖବର କାଗଜରେ ଲୋକ ଲୋଚନକୁ ଆଣିଛନ୍ତି। ଆମ ଘରର ହାଲଚାଲରେ ସେ ନିଜେ ଏହି କଥାକୁ ଉଲ୍ଲେଖ କରିଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ସଂପର୍କରେ ତାଙ୍କର ଏହି ଲେଖା ଭିତରେ ରହିଛି ଏହି ଭୁଲ ଫୋନ ନମ୍ବର ଘଟଣା।
ଘଟଣାଟିକୁ ସୌମ୍ୟବାବୁ କିପରି ଗ୍ରହଣ କରିଛନ୍ତି ତାହା ଭିନ୍ନ କଥା। କିନ୍ତୁ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଓଡିଶା ସରକାରୀ ଅଧିକାରୀଙ୍କ ଖାମଖିଆଲି ନିତି। ଜଣେ ଭିଆଇପିଙ୍କ ସଂପର୍କରେ ତଥ୍ୟ ଦେବା ବେଳେ ଡାଇରୀ ପ୍ରସ୍ତୁତ କରୁଥିବା ଅଧିକାରୀମାନେ କେତେ ସତର୍କ ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି। ବର୍ତ୍ତମାନ ସୌମ୍ୟବାବୁ ଘଟଣାଟିକୁ ପଦାକୁ ଆଣିବାରୁ ଏହି ଭୁଲ ଜଣାପଡିଲା। ତେବେ ଏମିତି ଆହୁରେ କେତେକ ଭିଭିଆଇପିଙ୍କ ତଥ୍ୟ ଭୁଲ ନ ଥିବ ତାହା କହି ହେବ ନାହିଁ।