ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍କ ବିଶେଷ କରି ଟସର ପ୍ରଜାତି ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡିଶାର ସିଲ୍କ ବୁଣାଳୀମାନେ କଞ୍ଚାମାଲ ପାଇଁ ପୁରାପୁରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ରାଜ୍ୟ ଉପରେ ନିର୍ଭରଶୀଳ ହେବା ସହ ଅଧିକ ମୂଲ୍ୟ ଦେଇ ସିଲ୍କ ସୂତା କ୍ରୟ କରିଥାନ୍ତି ।
ମାତ୍ର ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ଐତିହାସିକ ନିଷ୍ପତ୍ତିକ୍ରମେ କଟକ ଜିଲ୍ଲା ଚୌଦ୍ୱାରଠାରେ ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି କେନ୍ଦ୍ର ଟସର ସିଲ୍କ ସୂତା ସ୍ଥାନୀୟ ବୁଣାକାର ମାନଙ୍କୁ ଯୋଗାଇବା ସହ କର୍ମନିଯୁକ୍ତି ସୁଯୋଗ ଓ ସିଲ୍କ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ କରିପାରିବ । ଟସର ସିଲ୍କ ହେଉଛି ସର୍ବୋତ୍ତମ ପ୍ରଜାତିର ସିଲ୍କ ଓ ଏହାର ମୋଟା ଖଦଡ ଓ ସଚ୍ଛିଦ୍ର ବୁଣା ଶୈଳୀ ଓ ଗାଉଁଲୀ ଉପଢୌକନ ଭାବେ ବେଶ୍ ପରିଚିତ । କେଭିଆଇସି ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସକ୍ସେନା ଏହି ସିଲକ୍ ସୂତା ଉତ୍ପାଦନ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ।
ଓଡିଶାର ଶତକଡା ୭୫ଭାଗ ଖଦୀ ଲୁଗା ସିଲ୍କ୍ ଶ୍ରେଣୀୟ ହୋଇଥିବାରୁ ଏହି କେନ୍ଦ୍ର ବେଶ୍ ଗୁରୁତ୍ୱ ବହନ କରେ । ଏହି କେନ୍ଦ୍ର ୩୪ଜଣ ମହିଳାଙ୍କ ସମେତ ୫୦ଜଣ କାରିଗରଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେବାକୁ ଥିବାବେଳେ ଟସର ଖୋସା ଚାଷ କରୁଥିବା ତିନିଶହ ଆଦିବାସୀ କୃଷକଙ୍କୁ ମଧ୍ୟ ଲାଭାନ୍ୱିତ କରିବ । ଏହା ରାଜ୍ୟର ବୁଣାକାର ଓ ତାକୁଡିରେ ସୂତା ଗୁଡାଉଥିବା ଲୋକଙ୍କୁ ମଧ୍ୟ ପରୋକ୍ଷ ନିଯୁକ୍ତି ଦେବ । ଗୋଟିଏ କେଜି କଂଚା ସିଲ୍କ ପ୍ରସ୍ତୁତିରେ ୧୧ଜଣ ନିଯୁକ୍ତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ଛଅଜଣ କାରିଗର ହେଉଛନ୍ତି ମହିଳା ।
“ସିଲ୍କ ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅଭିନ୍ନ ଅଙ୍ଗ ଓ ଆମର ଐତିହ୍ୟ ଭାବେ ଯୁଗ ଯୁଗ ଧରି ରହି ଆସିଛି । ଭାରତୀୟ ବୟନ ଶିଳ୍ପ ବିଶେଷକରି ଖଦୀର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଉତ୍ପାଦନ କେନ୍ଦ୍ର ଯୋଗୁଁ ସୂତା ଦର ମଧ୍ୟ ହ୍ରାସ ପାଇବ । ଏଥିପାଇଁ ଓଡିଶାର ପ୍ରସିଦ୍ଧ ଟସର ସିଲ୍କକୁ ବ୍ୟାପକ ପ୍ରୋତ୍ସାହନ ମିଳିବା ସହ ରାଜ୍ୟର ପାରମ୍ପରିକ ସିଲକ୍ କଳା ମଧ୍ୟ ସମୃଦ୍ଧ ହେବ” ବୋଲି ଶ୍ରୀ ସାକ୍ସେନା କହିଛନ୍ତି ।
୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ବାର୍ଷିକ ପ୍ରାୟ ୯୪ଲକ୍ଷ ଟଙ୍କାର ୨୦୦ କିଲୋଗ୍ରାମ ପର୍ୟ୍ୟନ୍ତ ସିଲ୍କ ସୂତା ଉତ୍ପାଦନ କରିପାରିବ । ଚାହିଦା ବୃଦ୍ଧି ପାଇବା ସହ ଏହି କେନ୍ଦ୍ରର ଉତ୍ପାଦନ କ୍ଷମତା ମଧ୍ୟ କ୍ରମଶଃ ବୃଦ୍ଧି ପାଇବ । ଏହି କେନ୍ଦ୍ରରେ ଆଧୁନିକ ସିଲ୍କ ତାକୁଡିଯନ୍ତ୍ର, ସ୍ପିନିଂ ମେସିନ ଇତ୍ୟାଦି ରହିଛି ।