ଅମିତ ଶାହାଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର ସିଂ: ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା

Published: Sep 29, 2021, 7:44 pm IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା। ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ହଲଚଲ ମଧ୍ୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରେ ରାଜନୈତିକ ମହୋଲ ଗରମ ହୋଇଯାଇଛି।

ଅମରିନ୍ଦର ସିଂ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ, ସେ ଏଠାରେ କୌଣସି ନେତାଙ୍କୁ ଭେଟିବେ କି ନାହିଁ, ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ସେ ତାଙ୍କର ଦିଲ୍ଲୀ ସ୍ଥିତ ଘରକୁ ଯାଉଛନ୍ତି ବୋଲି କହିଥିଲେ। ସେଠାରେ ମୋ ଜିନିଷ ପାତ୍ର ଏକାଠି କରି ପଞ୍ଜାବ ଫେରିଯିବି ବୋଲି କ୍ୟାପଟେନ କହିଥିଲେ।

ସୂଚନାଯୋଗ୍ୟ ଯେ, ପଞ୍ଜାବ କଂଗ୍ରେସରେ ରାଜନୈତିକ ଅଘଟଣ ଘଟିଥିବା ବେଳେ ଏହି ଦୁଇ ନେତାଙ୍କ ବୈଠକ ହୋଇଥିଲା। ଦଳର ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ। କିଛି ଘଣ୍ଟା ମଧ୍ୟରେ ପଞ୍ଜାବ କଂଗ୍ରେସର ଅନେକ ନେତା ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଅମରିନ୍ଦର ସିଂ ଏବଂ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ଆଉ କାହାଠାରୁ ଲୁଚି ନାହିଁ। ଇସ୍ତଫା ପରେ ସିଦ୍ଧୁଙ୍କୁ ଟାର୍ଗେଟ କରି ଅମରିନ୍ଦର ସିଂ କହିଥିଲେ ଯେ ସେ ଜଣେ ଅସ୍ଥିର ଏବଂ ବିପଜ୍ଜନକ ବ୍ୟକ୍ତି। ସୀମାବର୍ତ୍ତି ଅଞ୍ଚଳ ପଞ୍ଜାବ ଚଳାଇବା ପାଇଁ ସେ ଯୋଗ୍ୟ ନୁହଁନ୍ତି।

Related posts