ଭୁବନେଶ୍ୱର : ପୂର୍ବ ଭାରତର ଆକର୍ଷଣୀୟ ମିଡ଼ିଆ ମହାକୁମ୍ଭ ପଂଚମ ସଂଷ୍କରଣର ଇ-ଉଦ୍ଘାଟନ ଆଜି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଯାଇଅଛି। ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମବାର୍ଷିକ ଉପଲକ୍ଷେ ଏହି ତିନି ଦିନିଆ (ନଭେମ୍ବର ୨୧ – ୨୩) ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଅନୁଷ୍ଠିତ ହେଉଅଛି । ଏ ବର୍ଷ ଏହି ସମ୍ମିଳନୀର ଶୀର୍ଷକ “ଗଣମାଧ୍ୟମ ଓ ଡିଜିଟାଲ ଟେକ୍ନୋଲୋଜି” ରହିଅଛି ।
ଏହି ଅବସରରେ ଶ୍ରୀଯୁକ୍ତ ପ୍ରଧାନ ମହତାବଙ୍କ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ମନେପକାଇ କହିଥିଲେ ଯେ ସେ ଓଡିଆ ଜାତି ଓ ଭାଷାର ବିକାଶ ପାଇଁ ଗାଁ ମଜଲିସ୍ ସ୍ତମ୍ଭଲେଖା ଆରମ୍ଭ କରିଥିଲେ । ଏହି ସ୍ତମ୍ବ ମାଧ୍ୟମରେ ସେ ବିକାଶମୂଳକ ସାମ୍ବାଦିକତାର ପ୍ରଚାର ଓ ପ୍ରସାର କରିଥିଲେ । ପରବର୍ତୀ ସମୟରେ ତାଙ୍କଦ୍ୱାରା ପ୍ରାକାଶିତ ପ୍ରଜାତନ୍ତ୍ର ଓଡିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା ବୋଲି ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ ।
ଏହି ଇ-ଉଦ୍ଘାଟନ ଉତ୍ସବରେ ମିଡିଆ ଏଣ୍ଡ୍ ଏଣ୍ଟରଟେନ୍ମେଣ୍ଟ ସ୍କିଲ୍ କାଉନ୍ସିଲ୍ର ଅଧ୍ୟକ୍ଷ ତଥା ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଭାଷ ଘାଇ, ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧିର ଗାଭାନେ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସଂପାଦକ ପଙ୍କଜ ମିତଲ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ପ୍ରମୁଖ ଅଂଶଗ୍ରହଣକରି ସେମାନଙ୍କର ବହୁମୁଲ୍ୟ ମତ ଉପସ୍ଥାପନ କରିଥିଲେ ।
ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥିମାନଙ୍କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ବରିଷ୍ଠ ଅଧ୍ୟାପକ ଡଃ ଗାୟତ୍ରୀ ପଟ୍ଟନାୟକ ଏହି ଇ-ଉଦ୍ଘାଟନ ସଭାକୁ ପରିଚାଳାନା କରିଥିଲେ । ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅନେକ ଜ୍ଞାନୀ, ଗୁଣି, ବିଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେ ଅଂଶଗ୍ରହଣ କରିଥିଲେ ।
ଅଧିବେଶନର ଦ୍ୱିତୀୟ ଦିନରେ ୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି । ତୃତୀୟ ଦିନରେ ଉଦ୍ଯାପନୀ ସମାରୋହରେ ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧିର ଗାଭାନେ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ମଣିପାଲ ଇନିଷ୍ଟିଚ୍ୟୁଟ୍ର ପ୍ରଫେସର ବି ପି ସଂଜୟ, ପରୀର ସଂସ୍ଥାପକ ସଂପାଦକ ପି. ସାଇନାଥ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।