ପାଣାଜୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ଗୋଆରେ ଏକ ରାଲିରେ ସମ୍ବୋଧିତ କରି କହିଛନ୍ତି ଯେ, ଗୋଆର ସବୁଠାରୁ ବଡ ଆବଶ୍ୟକତା ହେଉଛି ଗୋଆ ପୁଣିଥରେ ଗୋଆର ଲୋକଙ୍କ ହାତକୁ ଫେରିବା ଉଚିତ୍। ଏହି ସମୟରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିବାବେଳେ ସେ କହିଥିଲେ ଯେ, ବାହାରୁ ଆସୁଥିବା ଲୋକମାନେ ଆପଣଙ୍କ ରାଜ୍ୟକୁ ଶାସନ କରିପାରିବେ ନାହିଁ। ଏହାସହିତ ନାମ ନନେଇ ତୃଣମୂଳ କଂଗ୍ରେସକୁ ପ୍ରିୟଙ୍କା ଘେରିଥିଲେ ଏବଂ କହିଥିଲେ ଯେ, ବହୁ ବାହ୍ୟ ଦଳ ଏଠାକୁ ଆସିଛନ୍ତି। ସେ ଗୋଆକୁ ମଜବୁତ କରିବାକୁ କିମ୍ବା ବିକାଶ କରିବାକୁ ଆସିନାହାଁନ୍ତି, ବରଂ ନିଜକୁ ଏକ ଜାତୀୟ ଦଳ ଭାବରେ ଉପସ୍ଥାପନ କରିବାକୁ ସେମାନେ ଏଠାକୁ ଆସିଛନ୍ତି। ସେମାନେ ଚାହୁଁଛନ୍ତି ଯେ, ତାଙ୍କ ଦଳ ବଢୁ। ସେମାନେ ଗୋଆର ଲୋକମାନେ ଆଗକୁ ବଢନ୍ତୁ ବୋଲି ଚାହୁଁ ନାହାଁନ୍ତି।
ଏହି ସମୟ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି ତାଙ୍କ ଦଳ ଗୋଆରେ କ୍ଷମତାକୁ ଆସେ, ତା’ହେଲେ ରୋଜଗାର ସୃଷ୍ଟି ପାଇଁ ସରକାରୀ ପାଣ୍ଠିରୁ ୫୦୦ କୋଟି ଟଙ୍କା ମୁକ୍ତ ହେବ ଏବଂ ମହିଳାମାନେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ପାଇବେ। ଫେବୃଆରୀ ୧୪ ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଆର ନୁଭେମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ଏହା ମଧ୍ୟ କହିଛନ୍ତି ଯେ, ସରକାରୀ ଚାକିରୀ ଆବଣ୍ଟନରେ “ସ୍କାମ” ଯାଞ୍ଚ କରିବା ପାଇଁ ଏକ କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ।
ସେ କହିଛନ୍ତି ଯେ ନ୍ୟାୟ ଯୋଜନା ଅନୁଯାୟୀ ପଛୁଆ ବର୍ଗର ପରିବାରକୁ ମାସକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଯାହା ସେମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରିବ ଏବଂ ଅର୍ଥନୀତିରେ ପୁଞ୍ଜି ମଧ୍ୟ ଆସିବ। ମଡଗାଓଁ ଏବଂ ପାନଜୀରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ। ଏହାସହିତ ମହିଳା ନେତୃତ୍ୱାଧୀନ ପୋଲିସ ଷ୍ଟେସନ ସଂଖ୍ୟା ବୃଦ୍ଧି କରିବାକୁ କଂଗ୍ରେସ ପ୍ରତିଶୃତି ଦେଇଛି।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ଟଙ୍କାରୁ ଅଧିକ ହେବାକୁ ଦିଆଯିବ ନାହିଁ। ଏବଂ ଦଳ ଅତିରିକ୍ତ ରାଶି ଉପରେ ସବସିଡି ଦେବ ବୋଲି ଦଳ ଘୋଷଣା କରିଛି। ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ପରେ ବିଜେପି କିଛି ଆଞ୍ଚଳିକ ଦଳ ଏବଂ ସ୍ଵାଧୀନ ପ୍ରାର୍ଥୀଙ୍କ ସହ ଏକ ମିଳିତ ସରକାର ଗଠନ କଲା।
ପ୍ରିୟଙ୍କା କହିଛନ୍ତି, “ଆପଣ ଜାଣନ୍ତି ଯେ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ବଢାଇବା ପାଇଁ ମୁଁ ବହୁତ ପରିଶ୍ରମ କରୁଛି। ଉତ୍ତରପ୍ରଦେଶରେ ଆମେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଛୁ। ଏହା କରିବାର ଦୁଇ-ତିନୋଟି କାରଣ ଅଛି। ମହିଳାଙ୍କ ଜନସଂଖ୍ୟା ୫୦ ଶତ ପ୍ରତିଶତ, ତେଣୁ ୫୦ ପ୍ରତିଶତ ପ୍ରତିନିଧିତ୍ୱ ପାଇବା ସେମାନଙ୍କର ଅଧିକାର। ”