ଆଜି ଚିଲିକା ଗସ୍ତ କଲେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି: ଦେଖିଲେ ନୌସେନାର ସମରାଭ୍ୟାସ

Published: Apr 15, 2022, 7:09 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ଗସ୍ତରେ ଆସି ଭୁବନେଶ୍ୱର ଫେରି ଯାଇଛନ୍ତି ଓଡ଼ିଶାର ବହୁ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି। ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ସକାଳୁ ବିଧାନସଭାରୁ ସମସ୍ତେ ଚିଲିକା ଅଭିମୁଖେ ବାହାରିଥିଲେ। ପୂର୍ବାହ୍ନରେ ବଡ଼କୁଳ ପାନ୍ଥନିବାସ ପହଞ୍ଚିବା କ୍ଷଣି ସେଠାରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଓ ଆଇଏନଏସ ଚିଲିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହାପରେ ଆଇଏନଏସ ଚିଲିକାର ସ୍ୱତନ୍ତ୍ର ବୋଟରେ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ। ଦର୍ଶନ ସାରି ଆଇଏନଏସ ଚିଲିକା ବେସ କ୍ୟାମ୍ପରେ ପହଞ୍ଚିଥିଲେ ସମସ୍ତେ। ନୌସେନା ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୌସେନାରେ ତାଲିମରତ ପ୍ରଶିକ୍ଷାର୍ଥୀଙ୍କ ସହ ସାକ୍ଷାତ କରିଥିଲେ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି। ପ୍ରଶିକ୍ଷାର୍ଥୀଙ୍କ ସମରାଭ୍ୟାସ ଦେଖିବା ପରେ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ଅତିଥିଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ବିଦାୟ ଦିଆଯାଇଥିଲା।

ସନ୍ଧ୍ୟାରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି ଭୁବନେଶ୍ୱର ଫେରିଯାଇଛନ୍ତି। ତେବେ ସେମାନଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସପି ସୁରେଶ କୁମାର ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ବହୁ ସରକାରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related posts