ନୟାଗଡ ଏସପି ଭାବେ ଦାୟିତ୍ବ ନେଲେ ଅଲେଖ ପହି

Published: May 2, 2022, 10:49 pm IST

ଖୋର୍ଦ୍ଧା:  ନୟାଗଡ଼ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ଯୋଗଦାନ ସମୟରେ ଜିଲ୍ଲାର ବିଶିଷ୍ଟ ପୋଲିସ ଅଧିକାରୀମାନେ ଶ୍ରୀ ପହିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ କାର୍ଯ୍ୟରତ ଥିଲେ।

ତେବେ ଅପରାଧୀଙ୍କୁ କାବୁ କରିବାରେ ଶ୍ରୀ ପହିଙ୍କ ଟ୍ରାକ ରେକର୍ଡ଼ ଶତ ପ୍ରତିଶତ ରହିଥିବା ବେଳେ ନୟାଗଡ଼ ରେ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପୋଲିସ ଶ୍ରୀ ପହିଙ୍କ ନେତୃତ୍ୱରେ ଅପରାଧକୁ ମୁଳୋତ୍ପାଟନ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ତେବେ ଜିଲ୍ଲାରେ ଚୋରି, ଡକାୟତି, ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର, ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ, ନିଶା କାରବାର, ଆଦିବାସୀ ଙ୍କ ଉପରେ ଅତ୍ୟାଚାର, ସାଇବର ଅପରାଧ ଆଦିର ରୋକକୁ ପ୍ରାଥମିକତା ଦିଆଯିବ ବୋଲି ନୂତନ ଏସପି ଶ୍ରୀ ପହି କହିଛନ୍ତି।

ଜିଲ୍ଲାବାସୀଙ୍କୁ ଆଇନ କାନୁନ ମାନିବା ସହ ପୋଲିସକୁ ସହଯୋଗ କରିବା ପାଇଁ ଏସପି ଅନୁରୋଧ କରିଥିବା ବେଳେ ସାଧାରଣ ଜନତା ସେମାନଙ୍କ ଅଭିଯୋଗ ନେଇ ନିର୍ଦ୍ବନ୍ଦରେ ଏସପି ଙ୍କ କାର୍ଯ୍ୟାଳୟକୁ ଆସିପାରିବେ ବୋଲି ‘ସମୀକ୍ଷା’ ମାଧ୍ୟମରେ ସୂଚନା ଦେଇଛନ୍ତି ଏସପି ଶ୍ରୀ ପହି।

Related posts