ଚାପରେ ପଡି ଅବକାରୀ ଅଧିକାରୀ ବୟାନ ପରିବର୍ତ୍ତନ କରିଛନ୍ତି, ମୋନା

Published: Jun 8, 2022, 8:10 am IST

ଭୁବନେଶ୍ୱର : ଓଡିଶାରେ ମଦକୁ ସଂପୂର୍ଣ୍ଣ ନିଷେଧ କରିବା ନିମନ୍ତେ ସଂଗ୍ରାମ ଜାରି ରଖିଥିବା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ରାଜ୍ୟରେ ମଦ, ଗଞ୍ଜେଇ ସହ ଅନ୍ୟାନ୍ୟ ନିଶା ଦ୍ରବ୍ୟର ଅବୈଧ କାରବାରରେ ପୋଲିସର ହାତ ଥିବା ଅଭିଯୋଗ କରାଯାଇଛି।

ପୂର୍ବରୁ ଏ ବାବଦରେ ଜଣେ ଅବକାରୀ ଅଧିକାରୀ, କମିଶନଙ୍କ ନିକଟକୁ ଅଭିଯୋଗ କରି ପତ୍ର ଲେଖିଥିବାବେଳେ ପରବର୍ତ୍ତୀ ସମୟରେ ନିଜର ମାନସିକସ୍ଥିତି ଠିକ ନଥିବା ଦର୍ଶାଇ ବୟାନ ପରିବର୍ତ୍ତନ କରିଛନ୍ତି । ଅବକାରୀ ଏବଂ ପୋଲିସ ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଚାପରେ ପଡି ଅଧିକାରୀ ଜଣକ ବୟାନ ପରିବର୍ତ୍ତନ କରିଛନ୍ତି ବୋଲି ମୋନା ପକ୍ଷରୁ କୁହାଯାଇଛି ।

ଏନେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ କହିଛନ୍ତି ଯେ, “ରାଜ୍ୟରେ ମଦ ପ୍ରସାର ନିମନ୍ତେ ସରକାର ନେତୃତ୍ୱ ନେଉଥିବାବେଳେ ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ମାଫିଆଙ୍କ ଠାରୁ ପଇସା ନେଇ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା, କେସ ରୁଜୁ ନକରିବା ରାଜ୍ୟରେ ମଦ ସମସ୍ୟାକୁ ଆହୁରୀ ଉତ୍କଟ କରିଦେଉଛି ।

ଉପରିସ୍ଥ ଅଧିକାରୀଙ୍କ ଚାପରେ ପଡି ସେ ବୟାନ ପରିବର୍ତ୍ତନ କରିବେ ବୋଲି ଲୋକେ ଆଶା କରୁଥିଲେ ଏବଂ ତାହା ହିଁ ହୋଇଛି ।” ଶ୍ରୀ ନାୟକ ଆହୁରି କହିଛନ୍ତି, “ରାଜ୍ୟରେ ମଦ ଏବଂ ମଦୁଆଙ୍କ ସଂଖ୍ୟା ଲଗାତାର ବଢିଚାଲିଛି । ଯାହା ରାଜ୍ୟ ଏବଂ ଏହାର ଲୋକମାନଙ୍କ ଉଥ୍‌ାନ ଦିଗରେ ମୁଖ୍ୟ ବାଧକ ସାଜିଛି ।

ଏହା ଏବେ ରାଜ୍ୟର ପ୍ରତ୍ୟେକ ଗାଁ’ର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଆମେ ରାଜ୍ୟ ସରକାରଙ୍କୁ ସମସ୍ୟାର ଗମ୍ଭୀରତାକୁ ହୃଦୟଙ୍ଗମ କରି ରାଜ୍ୟରୁ ତୁରନ୍ତ ନିଶା ନିବାରଣ ପାଇଁ ଦାବୀ କରୁଛୁ ।”

Related posts