ଫନି ସତର୍କତା : ଆସନ୍ତା କାଲି ସକାଳେ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଜାରି

Published: May 2, 2019, 5:28 pm IST
fany cyclone prevention by odisha

ସାମୁଦ୍ରିକ ଝଡ଼ ‘ଫନି’ ଏବେ ପୁରୀ ଠାରୁ ୩୨୦ କିମି ଦୂରରେ ରହିଛି। ୧୬ କିମି ପ୍ରତି ଘଣ୍ଟା ବେଗରେ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି ଫନି। ପୂର୍ବରୁ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା। କିନ୍ତୁ ପୁଣି ଏବେ ସମୟର ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। ସକାଳ ୮ଟା ରୁ ୧୦ଟା ଭିତରେ  ଫନି ଲ୍ୟାଣ୍ଡଫଲ କରିପାରେ ବୋଲି ସୂଚନା ରହିଛି। ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ୨୦୦ କିମି ପ୍ରତି ଘଣ୍ଟା ରହିବା ସହ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସକାଳୁ କେହି ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି। ଦୋକାନ, ବଜାର, ଅଫିସ, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖିବା ପାଇଁ କୁହାଯାଇଛି। ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ଅନୁରୋଧ କରାଯାଇଛି।

Related posts