Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟାର ପାଞ୍ଚ ଦିନ ପରେ, ଆଜି ବି ଅଧା ଓଡିଶା ଅନ୍ଧାରରେ, ପାଣି ବିନା ଲକ୍ଷ ଲକ୍ଷ ଜୀବନ ଡହକ ବିକଳ
ବିଶେଷ ଖବର

ବାତ୍ୟାର ପାଞ୍ଚ ଦିନ ପରେ, ଆଜି ବି ଅଧା ଓଡିଶା ଅନ୍ଧାରରେ, ପାଣି ବିନା ଲକ୍ଷ ଲକ୍ଷ ଜୀବନ ଡହକ ବିକଳ

May 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Bhubaneswar situation after Fani
Bhubaneswar situation after Fani

କେଦାର ମିଶ୍ର

ପ୍ରଳୟଙ୍କର ବାତ୍ୟା ଫନି ମାତ୍ର ଚାରି ଘଣ୍ଟା ଭିତରେ ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇ ଚାଲି ଯାଇଛି। କଟକ, ପୁରୀ, ଭୁବନେଶ୍ୱର ଓ ଖୁର୍ଦ୍ଧା ସହର ସମେତ ୧୨ ଜିଲ୍ଲାର ଜଣ ଜୀବନ ବିପର୍ଯସ୍ତ ହୋଇ ପଡିଛି।ପୁରୀ, କଟକ ଓ ଭୁବନେଶ୍ୱର ଏକ ପ୍ରକାର ଭୁତ ସହର ପାଲଟି ଯାଇଛି। ଜୀବନ ବଞ୍ଚି ଯାଇଛି, ହେଲେ ବାତ୍ୟା ପରବର୍ତ୍ତୀ ଜୀବନ ଏବେ ଦୁର୍ବିସହ ହୋଇ ପଡିଲାଣି। ପିଇବା ପାଣି ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ଲୋକେ ଏବେ ଡହକ ବିକଳ ହେଉଛନ୍ତି। ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ଵର ଗତ ପାଞ୍ଚ ଦିନ ଭିତରେ ନିଜ ସହରରେ ବିଜୁଳି ବଲ୍ବ ଟିଏ ଜଳାଇବାକୁ ସମର୍ଥ ହୋଇ ପାରିନାହିଁ। ବାତ୍ୟା ପୂର୍ବବର୍ତ୍ତୀ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, ସରକାର ପ୍ରଶଂସା ପାଉଛନ୍ତି, ହେଲେ ବାତ୍ୟା ପରବର୍ତ୍ତୀ ସଙ୍କଟର ମୁକାବିଲା କରିବାରେ ରାଜ୍ୟ ସରକାର ଶିଥିଳ ହୋଇ ପଡିଛନ୍ତି ବୋଲି ଏବେ ଅଭିଯୋଗ ଆସୁଛି। ଫନି କୁ ଯଦିଓ ୧୯୯୯ ମହାବାତ୍ୟା ସହିତ ତୁଳନା କରା ଯାଇପାରିବ ନାହିଁ, ତେବେ ଏହା ଓଡିଶାର ପ୍ରମୁଖ ସହରୀ ଜୀବନକୁ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିଛି। ଗୋଟିଏ ବାତ୍ୟାରେ ଆମର ସ୍ମାର୍ଟ ସିଟି ଓ ଡିଜିଟାଲ ଇଣ୍ଡିଆର ସବୁ ସଫଳତା ଧୋଇ ହୋଇ ଯାଇଛି। ଭିତ୍ତିଭୂମିର ବିକାଶ କରିଦେଲେ ଖାଲି ହୁଏନାହିଁ, ତାକୁ ବଞ୍ଚାଇ ରଖିପାରିବାର କଳା କୌଶଳ ଯେ ଆମ ପାଖରେ ନାହିଁ, ସେ କଥା ଆଜି ପ୍ରମାଣିତ ହୋଇ ଯାଇଛି। ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କାମ ଆମର ଚାଲିଛି ଯେ ଚାଲିଛି। ପୁରୀ ଓ ବ୍ବୁବନେଶ୍ବରରେ ଭୂତଳ କେବୁଲ କାମ କାହିଁକି ଅଧାରେ ପଡି ରହିଛି, ଏହାର ଉତ୍ତର କିଏ ଦେବ?

ତେବେ ରାଜନୈତିକ ଓ ପ୍ରଶାସନିକ ପ୍ରଶ୍ନ ଅପେକ୍ଷା ଆଜି ଆମକୁ ତୁରନ୍ତ ଏ ସଙ୍କଟରୁ ମୁକ୍ତି ମିଳିବାର ବାଟ ଦରକାର। ସାଧାରଣ ଜୀବନର କ୍ଷୟକ୍ଷତି ସହିତ ସରକାରୀ କ୍ଷତିର ଆକଳନ ଏଯାଏ ସମ୍ଭବ ହୋଇନାହିଁ। ୫୭୮୬ପ୍ରାଥମିକ ବିଦ୍ୟାଳୟ, ୧୮୦ ହାଇସ୍କୁଲ, ୧୦୩୧ ସ୍ୱାସ୍ଥ୍ୟ କେନ୍ଦ୍ରଓ ୫୫୯୬ କିଲୋମିଟର ରାସ୍ତା କ୍ଷତି ହୋଇଥିବାର ପ୍ରାଥମିକ ସରକାରୀ ଆକଳନ ହୋଇଛି।

ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିଦ୍ୟୁତ ବିଭାଗ। ପାଣି, ଯୋଗାଯୋଗ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ବ୍ୟବସାୟ ସବୁକିଛି ବିଦ୍ୟୁତ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଅଥଚ ଆମ ପାଖରେ କୌଣସି ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ନାହିଁ। ୧୯୯୯ ମହାବାତ୍ୟା ର ଦୀର୍ଘ କାଳୀନ  ଅତ୍ୟାଚାର ପରେ ମଧ୍ୟ ଭୁବନେଶ୍ବରର ମୁଖ୍ୟ ଅଞ୍ଚଳକୁ ଚାରି ଦିନରେ ବିଦ୍ୟୁତ ସଂଯୋଗ ସମ୍ଭବ ହୋଇଥିଲା। ଅଥଚ ଆଜି ପାଞ୍ଚ ଦିନ ହେଲାଣି, ଆମର ରାସ୍ତା ସଫା ଓ ଗଛ କଟା କାମ ଚାଲିଛି। ସଚିବାଳୟ, ବିଧାୟକ କଲୋନୀ, ମୁଖ୍ୟ ୯ଟି ଯାକ ୟୁନିଟରେ ଏବେବି ସଫେଇ କାମ ସରିନି। ୭୨ ଘଣ୍ଟା ଭିତରେ ଅତି କାମରେ ୨୫ % ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି ଶକ୍ତି ବିଭାଗ ଯାହା ସୂଚନା ଦେଇଥିଲେ, ତାହା ସଫଳ ହୋଇନାହିଁ। ଆଜି ପଞ୍ଚମ ଦିନରେ ମଧ୍ୟ ଅବସ୍ଥା ଯାହା ଥିଲା ସେୟା ରହିଛି।

ଶକ୍ତି ବିଭାଗର କ୍ଷୟ କ୍ଷତିର ମାତ୍ରା ଦେଖି କାହାକୁ ଦୋଷ ଦେବା ସମ୍ଭବ ହେଉନାହିଁ। ହେଲେ ଲୋକଙ୍କ ଜୀବନ ଧାରଣର ମୌଳିକ ଆବଶ୍ୟକତା ପୂରଣ ହେବ କେମିତି? ସରକାରଙ୍କୁ ତାଙ୍କର ସତର୍କତା ଓ ପ୍ରାଣ ବଞ୍ଚାଇବାରେ ସଫଳତା ପାଇଁ ଯେତେ ପ୍ରଶଂସା କଲେ ବି କମ ହେବ। ଏହା ସହିତ ବିଦ୍ୟୁତ ଓ ଜଳ ଯୋଗାଣ କ୍ଷେତ୍ରରେ ସରକାରୀ ତତ୍ପରତା ରେ ଲୋକ ଖୁସି ନାହାନ୍ତି। ବାତ୍ୟା ପୂର୍ବର ସତର୍କତା ଓ ସୁରକ୍ଷା ବ୍ୟବସ୍ଥାରେ ସରକାରୀ ତତ୍ପରତାକୁ ପ୍ରଶଂସା ମିଳୁଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ବିଷୟରେ ସରକାର ଓ ରାଜନୈତିକ ଦଳ ଗୁଡିକ ଏକ ପ୍ରକାର ଉଦାସୀନ ଥିଲାଭଳି ମନେ ହେଉଛନ୍ତି। ନିର୍ବାଚନ ସରି ଯାଇଥିବାରୁ ଲୋକଙ୍କ ପ୍ରସଙ୍ଗ ପ୍ରତି କେହି ବି ବିଶେଷ ଆଗ୍ରହ ଦେଖାଉନାହାନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି।

ବିଦ୍ୟୁତ ବିଭାଗର ୧୯ ଟି ୧୩୨ କେଭି ଟାୱାର, ୨ ଟି ୪୦୦ କେଭି ଟାୱାର, ୨୦୦ ଟି ୩୩/୧୧ କେଭି ଖୁଣ୍ଟ, ୧୦,୦୦୦ ଟ୍ରାନ୍ସଫର୍ମର ଓ ଲକ୍ଷାଧିକ ଖୁଣ୍ଟ ଉପୁଡି ପଡିଛି। ଏତେ ସଂଖ୍ୟକ ଭିତ୍ତିଭୂମିର ମରାମତି ବା ପୁନର୍ନିମାଣ କାମ ଲାଗି ସମୟ ନିଶ୍ଚୟ ଲାଗିବ। ତେବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଅଟକାଇ ମଧ୍ୟ ରଖାଯାଇପାରିବ ନାହିଁ। ଲୋକଙ୍କ ଅବସ୍ଥା ଯାହା ସେଥିରେ କିଛି ଠୋସ ପଦକ୍ଷେପ ଯଥାଶୀଘ୍ର ନେବାର ଆବଶ୍ୟକତା ରହିଛି। ଯଦି ଆସନ୍ତା ୨୪ଘଣ୍ଟା ଭିତରେ କିଛି ଆଖି ଦୃଶିଆ ସଫଳତା ବିଦ୍ୟୁତ ବିଭାଗ ନ ପାଏ, ତେବେ ଏହା ପରିସ୍ଥିତିକୁ ଅଧିକ ଅସମ୍ଭାଳ କରିବ ଓ ଲୋକଙ୍କ କ୍ରୋଧକୁ ସାମ୍ନା କରିବା ଲାଗି ସରକାର ବାଧ୍ୟ ହେବେ।ସେସୁ, ଓଡିଶା ଏକ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ଯେ ଆଜି ଭୁବନେଶ୍ବରର ୟୁନିଟ ୩,୪, ୬,ସତ୍ୟ ନଗର, ଏୟାର ପୋର୍ଟ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇଯିବ।

afterfani kedarmishra restoration
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.