Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରେ ଆମ୍ପାନ୍‌ ମୁକାବିଲା: 9ଟା ସୁଦ୍ଧା ଜିଲ୍ଲାରେ ବିଦ୍ୟୁତ୍‌ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ ହେବ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଆମ୍ପାନ ପରବର୍ତ୍ତୀ ପରସ୍ଥିତିର ମୁକାବିଲା ଜାରି ରହିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନବ୍ୟବସ୍ଥିତ ପ୍ରକ୍ରିୟା ଜାରି ରହିଛି। ପାରାଦୀପ-କଟକ ରାଜ୍ୟ ରାଜପଥକୁ ସଫା କରାଯାଇଥିବା ବେଳେ ପାରାଦୀପ, ଜଗତସିଂହପୁର, ଏରସମା ଏବଂ ବାଲିକୁଦାର ସମସ୍ତ ରାସ୍ତାରେ ପଡିଥିବା ଗଛ ଗୁଡିକୁ ସଫା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ହସ୍ପିଟାଲରେ ବିଦ୍ୟୁତ୍‌ ବ୍ୟବସ୍ଥା ସଂରକ୍ଷିତ କରାଯାଇଥିବା ବେଳେ ରାତି 9ଟା ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟୁତ୍‌ ବ୍ୟବସ୍ଥା ଫେରାଇ ଆଣିବାର ପ୍ରୟାସ କରାଯାଉଥିବା ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ସମସ୍ତ ରେଳପଥ ଏବଂ ରାସ୍ତାରେ ପଡିରହିଥିବା ଗଛ ଗୁଡିକ ସଫା କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ବାତ୍ୟାର ପାଞ୍ଚ ଦିନ ପରେ, ଆଜି ବି ଅଧା ଓଡିଶା ଅନ୍ଧାରରେ, ପାଣି ବିନା ଲକ୍ଷ ଲକ୍ଷ ଜୀବନ ଡହକ ବିକଳ

କେଦାର ମିଶ୍ର

ପ୍ରଳୟଙ୍କର ବାତ୍ୟା ଫନି ମାତ୍ର ଚାରି ଘଣ୍ଟା ଭିତରେ ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇ ଚାଲି ଯାଇଛି। କଟକ, ପୁରୀ, ଭୁବନେଶ୍ୱର ଓ ଖୁର୍ଦ୍ଧା ସହର ସମେତ ୧୨ ଜିଲ୍ଲାର ଜଣ ଜୀବନ ବିପର୍ଯସ୍ତ ହୋଇ ପଡିଛି।ପୁରୀ, କଟକ ଓ ଭୁବନେଶ୍ୱର ଏକ ପ୍ରକାର ଭୁତ ସହର ପାଲଟି ଯାଇଛି। ଜୀବନ ବଞ୍ଚି ଯାଇଛି, ହେଲେ ବାତ୍ୟା ପରବର୍ତ୍ତୀ ଜୀବନ ଏବେ ଦୁର୍ବିସହ ହୋଇ ପଡିଲାଣି। ପିଇବା ପାଣି ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ଲୋକେ ଏବେ ଡହକ ବିକଳ ହେଉଛନ୍ତି। ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ଵର ଗତ ପାଞ୍ଚ ଦିନ ଭିତରେ ନିଜ ସହରରେ ବିଜୁଳି ବଲ୍ବ ଟିଏ ଜଳାଇବାକୁ ସମର୍ଥ ହୋଇ ପାରିନାହିଁ। ବାତ୍ୟା ପୂର୍ବବର୍ତ୍ତୀ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, ସରକାର ପ୍ରଶଂସା ପାଉଛନ୍ତି, ହେଲେ ବାତ୍ୟା ପରବର୍ତ୍ତୀ ସଙ୍କଟର ମୁକାବିଲା କରିବାରେ ରାଜ୍ୟ ସରକାର ଶିଥିଳ ହୋଇ ପଡିଛନ୍ତି ବୋଲି ଏବେ ଅଭିଯୋଗ ଆସୁଛି। ଫନି କୁ ଯଦିଓ ୧୯୯୯ ମହାବାତ୍ୟା ସହିତ ତୁଳନା କରା ଯାଇପାରିବ ନାହିଁ, ତେବେ ଏହା ଓଡିଶାର ପ୍ରମୁଖ ସହରୀ ଜୀବନକୁ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିଛି। ଗୋଟିଏ ବାତ୍ୟାରେ ଆମର ସ୍ମାର୍ଟ ସିଟି ଓ ଡିଜିଟାଲ ଇଣ୍ଡିଆର ସବୁ ସଫଳତା ଧୋଇ ହୋଇ ଯାଇଛି। ଭିତ୍ତିଭୂମିର ବିକାଶ କରିଦେଲେ ଖାଲି ହୁଏନାହିଁ, ତାକୁ ବଞ୍ଚାଇ ରଖିପାରିବାର କଳା କୌଶଳ ଯେ ଆମ ପାଖରେ ନାହିଁ, ସେ କଥା ଆଜି ପ୍ରମାଣିତ ହୋଇ ଯାଇଛି। ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କାମ ଆମର ଚାଲିଛି ଯେ ଚାଲିଛି। ପୁରୀ ଓ ବ୍ବୁବନେଶ୍ବରରେ ଭୂତଳ କେବୁଲ କାମ କାହିଁକି ଅଧାରେ ପଡି ରହିଛି, ଏହାର ଉତ୍ତର କିଏ ଦେବ?

ତେବେ ରାଜନୈତିକ ଓ ପ୍ରଶାସନିକ ପ୍ରଶ୍ନ ଅପେକ୍ଷା ଆଜି ଆମକୁ ତୁରନ୍ତ ଏ ସଙ୍କଟରୁ ମୁକ୍ତି ମିଳିବାର ବାଟ ଦରକାର। ସାଧାରଣ ଜୀବନର କ୍ଷୟକ୍ଷତି ସହିତ ସରକାରୀ କ୍ଷତିର ଆକଳନ ଏଯାଏ ସମ୍ଭବ ହୋଇନାହିଁ। ୫୭୮୬ପ୍ରାଥମିକ ବିଦ୍ୟାଳୟ, ୧୮୦ ହାଇସ୍କୁଲ, ୧୦୩୧ ସ୍ୱାସ୍ଥ୍ୟ କେନ୍ଦ୍ରଓ ୫୫୯୬ କିଲୋମିଟର ରାସ୍ତା କ୍ଷତି ହୋଇଥିବାର ପ୍ରାଥମିକ ସରକାରୀ ଆକଳନ ହୋଇଛି।

ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିଦ୍ୟୁତ ବିଭାଗ। ପାଣି, ଯୋଗାଯୋଗ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ବ୍ୟବସାୟ ସବୁକିଛି ବିଦ୍ୟୁତ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଅଥଚ ଆମ ପାଖରେ କୌଣସି ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ନାହିଁ। ୧୯୯୯ ମହାବାତ୍ୟା ର ଦୀର୍ଘ କାଳୀନ  ଅତ୍ୟାଚାର ପରେ ମଧ୍ୟ ଭୁବନେଶ୍ବରର ମୁଖ୍ୟ ଅଞ୍ଚଳକୁ ଚାରି ଦିନରେ ବିଦ୍ୟୁତ ସଂଯୋଗ ସମ୍ଭବ ହୋଇଥିଲା। ଅଥଚ ଆଜି ପାଞ୍ଚ ଦିନ ହେଲାଣି, ଆମର ରାସ୍ତା ସଫା ଓ ଗଛ କଟା କାମ ଚାଲିଛି। ସଚିବାଳୟ, ବିଧାୟକ କଲୋନୀ, ମୁଖ୍ୟ ୯ଟି ଯାକ ୟୁନିଟରେ ଏବେବି ସଫେଇ କାମ ସରିନି। ୭୨ ଘଣ୍ଟା ଭିତରେ ଅତି କାମରେ ୨୫ % ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି ଶକ୍ତି ବିଭାଗ ଯାହା ସୂଚନା ଦେଇଥିଲେ, ତାହା ସଫଳ ହୋଇନାହିଁ। ଆଜି ପଞ୍ଚମ ଦିନରେ ମଧ୍ୟ ଅବସ୍ଥା ଯାହା ଥିଲା ସେୟା ରହିଛି।

ଶକ୍ତି ବିଭାଗର କ୍ଷୟ କ୍ଷତିର ମାତ୍ରା ଦେଖି କାହାକୁ ଦୋଷ ଦେବା ସମ୍ଭବ ହେଉନାହିଁ। ହେଲେ ଲୋକଙ୍କ ଜୀବନ ଧାରଣର ମୌଳିକ ଆବଶ୍ୟକତା ପୂରଣ ହେବ କେମିତି? ସରକାରଙ୍କୁ ତାଙ୍କର ସତର୍କତା ଓ ପ୍ରାଣ ବଞ୍ଚାଇବାରେ ସଫଳତା ପାଇଁ ଯେତେ ପ୍ରଶଂସା କଲେ ବି କମ ହେବ। ଏହା ସହିତ ବିଦ୍ୟୁତ ଓ ଜଳ ଯୋଗାଣ କ୍ଷେତ୍ରରେ ସରକାରୀ ତତ୍ପରତା ରେ ଲୋକ ଖୁସି ନାହାନ୍ତି। ବାତ୍ୟା ପୂର୍ବର ସତର୍କତା ଓ ସୁରକ୍ଷା ବ୍ୟବସ୍ଥାରେ ସରକାରୀ ତତ୍ପରତାକୁ ପ୍ରଶଂସା ମିଳୁଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ବିଷୟରେ ସରକାର ଓ ରାଜନୈତିକ ଦଳ ଗୁଡିକ ଏକ ପ୍ରକାର ଉଦାସୀନ ଥିଲାଭଳି ମନେ ହେଉଛନ୍ତି। ନିର୍ବାଚନ ସରି ଯାଇଥିବାରୁ ଲୋକଙ୍କ ପ୍ରସଙ୍ଗ ପ୍ରତି କେହି ବି ବିଶେଷ ଆଗ୍ରହ ଦେଖାଉନାହାନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି।

ବିଦ୍ୟୁତ ବିଭାଗର ୧୯ ଟି ୧୩୨ କେଭି ଟାୱାର, ୨ ଟି ୪୦୦ କେଭି ଟାୱାର, ୨୦୦ ଟି ୩୩/୧୧ କେଭି ଖୁଣ୍ଟ, ୧୦,୦୦୦ ଟ୍ରାନ୍ସଫର୍ମର ଓ ଲକ୍ଷାଧିକ ଖୁଣ୍ଟ ଉପୁଡି ପଡିଛି। ଏତେ ସଂଖ୍ୟକ ଭିତ୍ତିଭୂମିର ମରାମତି ବା ପୁନର୍ନିମାଣ କାମ ଲାଗି ସମୟ ନିଶ୍ଚୟ ଲାଗିବ। ତେବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଅଟକାଇ ମଧ୍ୟ ରଖାଯାଇପାରିବ ନାହିଁ। ଲୋକଙ୍କ ଅବସ୍ଥା ଯାହା ସେଥିରେ କିଛି ଠୋସ ପଦକ୍ଷେପ ଯଥାଶୀଘ୍ର ନେବାର ଆବଶ୍ୟକତା ରହିଛି। ଯଦି ଆସନ୍ତା ୨୪ଘଣ୍ଟା ଭିତରେ କିଛି ଆଖି ଦୃଶିଆ ସଫଳତା ବିଦ୍ୟୁତ ବିଭାଗ ନ ପାଏ, ତେବେ ଏହା ପରିସ୍ଥିତିକୁ ଅଧିକ ଅସମ୍ଭାଳ କରିବ ଓ ଲୋକଙ୍କ କ୍ରୋଧକୁ ସାମ୍ନା କରିବା ଲାଗି ସରକାର ବାଧ୍ୟ ହେବେ।ସେସୁ, ଓଡିଶା ଏକ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ଯେ ଆଜି ଭୁବନେଶ୍ବରର ୟୁନିଟ ୩,୪, ୬,ସତ୍ୟ ନଗର, ଏୟାର ପୋର୍ଟ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇଯିବ।