ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ସକାଳୁ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗରେ ଶାସକ ଦଳ ନିମନ୍ତେ ପ୍ରଚାର ନିମନ୍ତେ ଯିବା ପୂର୍ବରୁ ରାହୁଲଙ୍କ ସହିତ ଆଲୋଚନା କରିଥିଲେ ନାଇଡୁ । ନିର୍ବାଚନ ଶେଷ ହେବା ପୂର୍ବରୁ ଏହି ଦୁଇ ନେତାଙ୍କ ବୈଠକ ନିର୍ବାଚନ ପରବର୍ତ୍ତୀ ସାମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ସୃଷ୍ଟି କରିଛି । ରାହୁଲଙ୍କ ସହିତ ଭେଟ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଗୁରୁବାର ଏବଂ ଶୁକ୍ରବାର ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାରରେ ଭାଗ ନେବେ । ଏହି ସାକ୍ଷାତକାର ପରେ ନାଇଡୁ କହିଛନ୍ତି ବର୍ତ୍ତମାନର ରାଜନୈତିକ ଅବସ୍ଥା ଅନୁଯାୟୀ ଆସନ୍ତା 23 ତାରିଖରେ ମୋଦିଙ୍କୁ ହଟାଇ ଅନ୍ୟ ଜଣେ ନେତା ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ । ନେତା ଚୟନ ହୋଇନଥିଲେ ମଧ୍ୟ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ନାଇଡୁ କହିଛନ୍ତି । ଭିଭିପାଟ୍ ସମ୍ପର୍କିତ ମାମଲାର ଶୁଣାଣି ନିମନ୍ତେ ଦିଲ୍ଲୀ ଆସିଥିବା ନାଇଡୁ ରାହୁଲଙ୍କୁ ଭେଟିଥିଲେ। 50 ପ୍ରତିଶତ ଭିଭିପାଟ୍ ଗଣନା ନେଇ ସୁପ୍ରିମ୍କୋର୍ଟରେ 21 ଦଳଙ୍କ ଆବେଦନ ଖାରଜ ହେବା ପରେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ନାଇଡୁ ।
ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ
Published:
May 8, 2019, 2:39 pm IST
Tags: