ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ : ମଧ୍ୟସ୍ଥି ପ୍ୟାନେଲ୍ କୁ ଆଉ ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

Published: May 10, 2019, 3:59 pm IST

ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଶୁଣାଣୀ କରି ସୁପ୍ରିମ୍‌କୋର୍ଟ ମଧ୍ୟସ୍ଥି ପ୍ୟାନେଲ୍‌କୁ ଆଉ ତିନି ମାସର ସମୟ ଦେଇଛନ୍ତି ।  ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣୀ କରିଥିଲେ । ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ଅଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାନୁଯାୟୀ, ‘ମଧ୍ୟସ୍ଥି ପ୍ୟାନେଲ୍’ ଆଜି ଏହାର ‘ଷ୍ଟାଟସ୍ ରିପୋର୍ଟ’ ଖଣ୍ଡପୀଠଙ୍କ ପାଖରେ ଦାଖଲ କରିଥିଲେ। ହେଲେ ଦାଖଲ କରିବା ପରେ, ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଆଉ କିଛି ସମୟ ମାଗିଥିଲେ। ଏହାପରେ ଖଣ୍ଡପୀଠ, ରିପୋର୍ଟ ଦାଖଲର ସମୟକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ଗତ ମାର୍ଚ୍ଚ ୮ ତାରିଖରେ ସୁପ୍ରିମକୋର୍ଟ  ଅଯୋଧ୍ୟା ଜମି ବିବାଦର ସମାଧାନ ପାଇଁ  ଏକ ତିନି ଜଣିଆ ‘ମଧ୍ୟସ୍ଥି ପ୍ୟାନେଲ’ ଗଠନ କରିଥିଲେ। ଏଥିରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ ଇବ୍ରାହିମ୍‌ କାଲିଫୁଲ୍ଲା, ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପାଞ୍ଚୁ ସଭ୍ୟ ରହିଛନ୍ତି।

Related posts