ସମୀକ୍ଷା ବ୍ୟୁରୋ
ରାଫାଲେ ମାମଲାରେ କାହିଁକି ମାମଲା ରୁଜୁ କରା ଯାଇନାହିଁ ବୋଲି ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି । ଗତବର୍ଷ ଅକ୍ଟୋବରରୁ ଅଭିଯୋଗ ଆସିଥିଲେ ମଧ୍ୟ ଏନେଇ ଏଫଆଇଆର କାହିଁକି ରୁଜୁ କରାଯାଇ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତଦନ୍ତ ବ୍ୟୁରୋକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ କେ ଏମ୍ ଯୋଶେଫ୍ ଏହି ମାମଲା ଉପରେ ଶୁଣାଣି କରି ଏହି ପ୍ରଶ୍ନ କରିଛନ୍ତି । ଦୁଇ ଘଣ୍ଟା ଧରି ଉଭୟ ବିଚାରପତି ଏହି ମାମଲା ଉପରେ ବିଚାର କରି ଏହି ନିଷ୍ପତ୍ତି ନେଇଥିଲେ । ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳଙ୍କୁ ପ୍ରଶ୍ନ କରି ଯୋଶେଫ୍ କହିଛନ୍ତି, ସରକାର ଏହି କ୍ଷେତ୍ରରେ କିପରି ଭାବରେ ନିୟମ ଉଲ୍ଲଂଘନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବରରେ ସରକାର ଫ୍ରାନ୍ସ ସରକାରଙ୍କ ଠାରୁ ୩୬ ରାଫାଲେ ବିମାନ କ୍ରୟ କରିବାର ନିଷ୍ପତ୍ତି ନେଇଥିଲେ । ରାଫାଲେ ଚୁକ୍ତିରେ ହଜାର ହଜାର କୋଟିର ଦୁର୍ନୀତିର ଅଭିଯୋଗ ଆସିଛି, ଏହା କୌଣସି ରାସ୍ତା କିମ୍ବା ଡ୍ୟାମ କାମ ନେଇ ଉଠିଥିବା ଅଭିଯୋଗ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ସିବିଆଇ ଏହି ମାମଲାରେ ଏଫ୍ଆଇଆର ଦାଖଲ ପାଇଁ ବାଧ୍ୟ ବୋଲି ଜଷ୍ଟିସ୍ ଯୋଶେଫ୍ କହିଛନ୍ତି । ସୂଚନାଯୋଗ୍ୟ ଯେ, ୟୁପିଏ ସରକାର ସମୟରେ ୧୨୬ଟି ବିମାନ କିଣିବା ନିମନ୍ତେ ଚୁକ୍ତି ହୋଇଥିବା ବେଳେ ସମାନ ଅର୍ଥରେ ଏନ୍ଡିଏ ସରକାର ସମୟରେ ୩୬ଟି ବିମାନ କିଣିବା ନିମନ୍ତେ ଚୁକ୍ତି ହୋଇଛି । ଏହି ମାମଲାରେ ସ୍ବଚ୍ଛ ଏବଂ ଅବାଧ ତଦନ୍ତ ନିମନ୍ତେ ୟଶଓ୍ବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ ।